ମର୍ମନ୍ତୁଦ ଦୁର୍ଘଟଣା : ବସ୍ରୁ ଛିଟିକି ପଡ଼ିଲେ ଯାତ୍ରୀ, ୧୫ ଶବ ଉଦ୍ଧାର

ଝାଡଖଣ୍ଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି । ସାହିବଗଞ୍ଜରୁ ଦୁମକା ଯାଉଥିବା ଏକ ବସ ଲିଟ୍ଟିପଡା-ଅମଡାପାଡା ରାସ୍ତାର ପଡେରକୋଲା ଠାରେ ଏକ ଗ୍ୟାସ ବୋଝେଇ ଟ୍ରକକୁ ଧକ୍କା ଦେବା ଫଳରେ ଏ ଦୁର୍ଘଟଣା ଘଟିଛି। ବସ୍ରେ ୪୦ ଜଣରୁ ଅଧିକ ଯାତ୍ରୀଥିବା କୁହାଯାଇଛି। ପାକୁଡ ଏସପି ଏଚପି ଜନାର୍ଦ୍ଦନ କହିଛନ୍ତି, ୧୫ ଟି ଶବ ଜବତ ହୋଇଛି ଓ ବସ ଭିତରେ ଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚାଲିଛି।
ଦୁର୍ଘଟଣା ଏତେ ଭୟାବହ ଥିଲା କି ଦୁଇଟି ଗାଡିର ଆଗ ପଟ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା । କିଛି ଲୋକ ବସରୁ ଛିଟିକି ବାହାରେ ପଡିଥିବା ସହ ବସ ଭିତରେ ରହିଥିବା କିଛି ଲୋକ ଭିତରେ ଫସି ଯାଇଥିଲେ । ଏବେ ବସକୁ କଟାଯାଇ ସେମାନଙ୍କୁ ବାହାରକୁ ବାହାର କରାଯାଉଛି । କୁହାଯାଉଛି କି ବସର ଚାଳକ ଜୀବିତ ଅଛନ୍ତି । ଅନ୍ୟପଟେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଦୁର୍ଘଟଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ମୃତକଙ୍କ ପରିବାର ପ୍ରତି ସୋସିଆଲ ମିଡିଆ ମାଧ୍ୟରେ ସମବେଦନା ଜଣାଇଛନ୍ତି । ଏହାସହ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି ।
ସେପଟେ କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ମାମଲାର ଯାଂଚ କରୁଥିବା ଅଧିକାରୀ କହିଛନ୍ତି। ତାଙ୍କ କହିବା ମୁତାବକ, ଟ୍ରକ ଚାଳକ ସାମ୍ନାପଟୁ ଆସୁଥିବା ବସକୁ କୁହୁଡି ଯୋଗୁଁ ଦେଖିପାରି ପାରିନଥିଲା। ଆଉ ସିଧା ବସ ଉପରେ ମାଡି ଯାଇଥିଲା।
Powered by Froala Editor