ଶ୍ରୀମତୀ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍ ୨୦୨୧: ଫାଇନାଲରେ ଓଡ଼ିଶା ବୋହୂ ମଧୁସ୍ମିତା

ଭୁବନେଶ୍ୱର: କରୋନାର କଠିନ ପରିସ୍ଥିତି ଭିତରେ ଖୁସି ଖବର । ଶ୍ରୀମତୀ ଇଣ୍ଡିଆ ୱାର୍ଲ୍ଡ ୱାଇଡ୍ ୨୦୨୧ ପ୍ରତିଯୋଗିତାର ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଛନ୍ତି ଓଡ଼ିଶା ବୋହୂ ମଧୁସ୍ମିତା । ଆସନ୍ତା ଅକ୍ଟୋବର ମାସରେ ଏହି ପ୍ରତିଯୋଗିତା ଦୁବାଇରେ ଆୟୋଜିତ ହେବ । ଏଥିପାଇଁ ଏପ୍ରିଲ ୪ରେ ଭୁବନେଶ୍ୱରର ଏକ ହୋଟେଲରେ ଅଡିସନ୍ ହୋଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ ୨୭ ଜଣ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କୁ ପଛରେ ପକାଇ ମଧୁସ୍ମିତା ଗ୍ରାଣ୍ଡ ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଖବର ଜଣାପଡ଼ିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।
ଏନେଇ ମଧୁସ୍ମିତା କହିଛନ୍ତି, ଏଭଳି କିଛି ପ୍ରତିଯୋଗିତା ମାଧ୍ୟମରେ ଭାରତୀୟ ମହିଳା ଓ ପତ୍ନୀଙ୍କ ଭିତରେ ଥିବା କଳା ଲୋକଲୋଚନକୁ ଆସିଥାଏ । ଯାଜପୁର ଜିଲ୍ଲାରେ ମଧୁସ୍ମିତା ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ପିଲାଦିନ ଓ ପାଠପଢ଼଼ା ଭୁବନେଶ୍ୱରରେ ଅତିବାହିତ କରିଛନ୍ତି । ବେଙ୍ଗାଲୁରୁରେ ଆଇଟି ପ୍ରଫେସନାଲ ଭାବେ ସେ କାର୍ଯ୍ୟରତ । ମଧୁସ୍ମିତା ଇଣ୍ଡିଆ ୱାର୍ଲ୍ଡର ଏକାଦଶ ସଂସ୍କରଣ ପୂର୍ବରୁ ଅପେରା ଶ୍ରୀମତୀ ଇଣ୍ଡିଆ ଗ୍ଲୋବାଲ ୨୦୨୦ରେ ଶ୍ରୀମତୀ ରାମ୍ପୱାକ୍ ୨୦୨୦ ଟାଇଟଲ୍ ହାସଲ କରିଥିଲେ । ମଡେଲିଂ ବ୍ୟତୀତ ମଧୁସ୍ମିତା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ । ସେ ଓଲିଉଡ ପରିବାରରେ ନିଜକୁ ସାମିଲ କରିବାକୁ ଇଚ୍ଛା ରଖିଛନ୍ତି ।
ସୂଚନାଯୋଗ୍ୟ, ବିବାହ ପରେ ସ୍ୱାମୀ ଓ ପରିବାର ପକ୍ଷରୁ ତାଙ୍କୁ ସମସ୍ତ ସହଯୋଗ ମିଳିଥିଲା । ସେ ଇଞ୍ଜିନିୟରିଂ ସାରିବା ପରେ କଷ୍ଟ୍ୟୁମ ଡିଜାଇନର ଭାବେ କାର୍ଯ୍ୟ କରୁଥିବା ବେଳେ ଫ୍ୟାସନ ଡିଜାଇନର ରାମକୃଷ୍ଣ ପଟ୍ଟନାୟକଙ୍କ ସହ ତାଙ୍କର ଦେଖା ହୋଇଥିଲା । ରାମକୃଷ୍ଣ ତାଙ୍କୁ ଏହି ଦିଗରେ ଯିବାକୁ ପରାମର୍ଶ ଦେଇଥିଲେ ।
Powered by Froala Editor