୯୩ତମ ଓସ୍କାର ଆୱାର୍ଡ; ପୁରସ୍କାର ହାତେଇଲା ‘ନୋମାଡଲ୍ୟାଣ୍ଡ’
ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଘୋଷଣା ହୋଇଛି ୯୩ତମ ଓସ୍କାର ଆୱାର୍ଡ । ୨୦୨୧ ଏକାଡେମୀ ଆୱାର୍ଡରେ ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛି ଫିଲ୍ମ ‘ନୋମାଡଲ୍ୟାଣ୍ଡ’ । ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଏହାକୁ ବିବେଚନା କରାଯାଇଛି । ଏହାସହିତ ଆହୁରି ୨ଟି ବଡ଼ ପୁରସ୍କାର ହାତେଇଛି ।
‘ନୋମାଡଲ୍ୟାଣ୍ଡ’ର ନିର୍ଦ୍ଦେଶନା ଦେଇଥିବା କ୍ଲୋଇ ଚାଓ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି । ଓସ୍କାର ଇତିହାସରେ କ୍ଲୋଇ ଚାଓ ଦ୍ୱିତୀୟ ମହିଳା ଭାବେ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ହାତେଇଛନ୍ତି । ସେହିପରି ଫିଲ୍ମର ଲିଡ୍ ରୋଲରେ ଥିବା ଫ୍ରାନ୍ସିସ୍ ମ୍ୟାକଡୋରମାଣ୍ଡଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର । ଶ୍ରେଷ୍ଠ କଳାକାର ପୁରସ୍କାର ପାଇଛନ୍ତି ବିଶିଷ୍ଠ ଅଭିନେତା ଆନ୍ଥୋନି ହପକିନ୍ସ । ୮୩ ବର୍ଷୀୟ ଏହି ବ୍ରିଟିଶ୍ ଅଭିନେତାଙ୍କୁ ଫିଲ୍ମ ଦି ଫାଦର ପାଇଁ ପୁରସ୍କାର ମିଳିଛି । ଏହି ପୁରସ୍କାର ଜିତିବାରେ ସେ ହେଉଛନ୍ତି ସବୁଠାରୁ ବୟସ୍କ ଅଭିନେତା ।
ଅପରପକ୍ଷରେ ଓସ୍କାର ଆୱାର୍ଡରୁ ବାଦ୍ ପଡିଛି ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ । ୨୦୨୧ ମସିହା ୧୫ ମାର୍ଚ୍ଚରେ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ୍ ଜୋନାସ ଓସ୍କାର ଆୱାର୍ଡ ନାମାଙ୍କନ ଘୋଷଣା କରିଥିଲେ । ଯେଉଁଥିରେ ପ୍ରିୟଙ୍କାଙ୍କ ଫିଲ୍ମ ଦ ହ୍ୱାଇଟ୍ ଟାଇଗର ମଧ୍ୟ ସାମିଲ୍ ଥିଲା । ବର୍ତ୍ତମାନ ଏହି ଆୱାର୍ଡ ସୋ ଆୟୋଜିତ ହୋଇଛି । ଏଥିସହିତ ଅନେକ ବର୍ଗର ବିଜେତାଙ୍କ ନାମ ଘୋଷଣା କରାଯାଇଛି । କିନ୍ତୁ ଦ ହ୍ୱାଇଟ୍ ଟାଇଗର୍ ଆୱାର୍ଡ ଜିତିପାରି ନାହିଁ । ଯାହାକି ପ୍ରିୟଙ୍କାଙ୍କ ଫ୍ୟାନମାନଙ୍କୁ ଶକ୍ତ ଝଟକା ଲାଗିଛି ।
Powered by Froala Editor