ପର୍ଯ୍ୟଟନ ସ୍ଥଳୀ ଚିରସ୍ରୋତା ଜଳପ୍ରପାତ ସାନ ଘାଗରା
ଭୁବନେଶ୍ୱର: ବିଭିନ୍ନ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳୀର ଗନ୍ତାଘର ହେଇଛି ଆମ ରାଜ୍ୟ ଓଡ଼ିଶା । ଏଥିମଧ୍ୟରୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହେଉଛି କେନ୍ଦୁଝର ଜିଲ୍ଲାର ସାନଘାଗରା ଜଳପ୍ରପାତ । ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ଲୋକ ନିଜର କର୍ମବ୍ୟସ୍ତମୟ ଜୀବନ ମଧ୍ୟରୁ କିଛି ସମୟ ବାହାର କରି ଏଠାକାର ପ୍ରକୃତିକୁ ଅନୁଭବ କରିବାକୁ ଧାଇଁ ଆସନ୍ତି ।
ଚିରସ୍ରୋତା ଜଳପ୍ରପାତ ସବୁଜିମା ଭରା ସାଙ୍ଗକୁ ଉଚ୍ଚ ପର୍ବତ ଶିଖର ଓ ଝରଣାର କୁଳୁକୁଳୁ ନାଦ, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସାନଘାଗରା । ସତେ ଯେପରି ଅଶାନ୍ତ ମନକୁ ଶାନ୍ତ କରିଦିଏ । ପର୍ଯ୍ୟଟକ ମାନେ ଏଠାକୁ ବୁଲିବାକୁ ଆସିବା ସଙ୍ଗେସଙ୍ଗେ, ଏଠାରେ ବଣ ଭୋଜି ମଧ୍ୟ କରିଥାନ୍ତି । ଖାସକରି ଶୀତଦିନରେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥାଏ ।
କେନ୍ଦୁଝର ସହରଠାରୁ ଅଳ୍ପ ଦୂରରେ ଅବସ୍ଥିତ ଏହି ଜଳପ୍ରପାତ । ଭୁବନେଶ୍ୱରରୁ ସିଧା ବସ ଯୋଗେ କିମ୍ବା ଟ୍ରେନ ଯୋଗେ ଆପଣ କେନ୍ଦୁଝର ଯାଇ ପାରିବେ । ସେଠାରେ ଓହ୍ଲାଇ ଅଟୋରେ ବସି ସାନଘାଗରା ଯିବାର ବ୍ୟବସ୍ଥା ରହିଛି ।
ଏହି ଜାଗାରେ ପାଦ ପଡ଼ିଲେ ପର୍ଯ୍ୟଟକମାନେ ନିଜକୁ ସତେ ଯେପରି ପ୍ରକୃତି କୋଳରେ ହଜାଇ ଦିଅନ୍ତି । ସାନମାଛ କାନ୍ଦଣା ନଦୀର ଜଳ, ତଳକୁ ସ୍ରୋତଟିଏ ହୋଇ ଅବିରତ ବହି ଚାଲିଛି । ଏଠାରେ ଛୋଟ ଛୋଟ ପିଲା ମାନଙ୍କ ପାଇଁ ଚିଲଡେ଼୍ରନ ପାର୍କ ମଧ୍ୟ ରହିଛି ।
ଏହି ବନ,ପାହାଡ଼ ଘେରା ପର୍ଯ୍ୟଟନ ସ୍ଥଳୀରେ ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଦ୍ରବ୍ୟ ସହ ବିଭିନ୍ନ ଔଷଧିୟ ବୃକ୍ଷରାଜି ମଧ୍ୟ ବେଶ ଆକର୍ଷଣୀୟ ।
Powered by Froala Editor