ବିବାଦରେ ‘ମୋନାଲିସା’: ମାଲାୟାଲମ୍ ଫିଲ୍ମ ‘ହେଲେନ’ ସହ ରହିଛି ସମାନତା

ରିଲିଜ ପୂର୍ବରୁ ବିବାଦ ଘେରକୁ ଆସିଛି ଅଶୋକ ପତିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମୋନାଲିସା’ । ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ଯେ, ଏହା ମାଲାୟାଲମ୍ ଫିଲ୍ମ ‘ହେଲେନ୍’ର ପୂରାପୂରି ନକଲ । ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିବା ପରେ ଏଭଳି ବିବାଦ ଦେଖାଦେଇଛି । କାହାଣୀର ସମାନତାକୁ ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁଇ ସିନେମାର କାହାଣୀରେ କିଛି କିଛି ସମାନତା ରହିଛି। ଯଦି ସେପରି କିଛି ଥାଏ ତେବେ କାହାଣୀ ଓ ପୋଷ୍ଟର ନକଲକୁ ନେଇ ବିବାଦରେ ପଡିପାରେ ଅଶୋକ ପତିଙ୍କ ‘ମୋନାଲିସା’।
ଚଳିତ ମାସ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡିଆ ଫିଲ୍ମ ‘ମୋନାଲିସା’ । କିନ୍ତୁ ରିଲିଜ୍ ପୂର୍ବରୁ ବିବାଦ ଆଶଙ୍କାରେ ଏହି ଫିଲ୍ମର ପ୍ରଦର୍ଶନ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ମାଲାୟାଲମ୍ ଫିଲ୍ମ ‘ହେଲେନ୍’ ଦୁଇଟି ଜାତୀୟ ପୁରସ୍କାର ପାଇସାରିଛି । ତେବେ ଏହି ଫିଲ୍ମର କପି ରାଇଟ୍ସ ବୋନି କପୁରଙ୍କ ସଂସ୍ଥା ‘ବେଭିୟୁ ପ୍ରୋଜେକ୍ଟସ ଏଲ୍ଏଲ୍ପି’ ପାଖରେ ରହିଛି। ଏଥିମଧ୍ୟରେ ମୂଳ ସିନେମାର ନିର୍ଦ୍ଦେଶକ ମାଥୁକୁଟ୍ଟି ଜାଭିୟରଙ୍କ ଅନୁସାରେ କେବଳ କନ୍ନଡ, ତେଲୁଗୁ ଓ ତାମିଲ ସିନେମା ନିର୍ମାଣ ପାଇଁ ରାଇଟ୍ସ ବିକ୍ରି ହୋଇ ସାରିଛି । ଅନ୍ୟ ଭାରତୀୟ ଭାଷାରେ ରାଇଟ୍ସ ବୋନି କପୁରଙ୍କ ସଂସ୍ଥା ପାଖରେ ରହିଛି । ଯଦି ମୋନାଲିସା ବିରୁଦ୍ଧରେ ବୋନି କପୁରଙ୍କ ସଂସ୍ଥା କପି ରାଇଟ୍ସ ଉଲ୍ଲଂଘନ ଅଭିଯୋଗ କରି ଅଦାଲତଙ୍କ ଦ୍ଵାରସ୍ଥ ହୁଅନ୍ତି ତେବେ ଓଡିଆ ସିନେମା ‘ମୋନାଲିସା’ର ପ୍ରଦର୍ଶନ ଉପରେ ଅଙ୍କୁଶ ଲାଗିପାରେ।
ଏପଟେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ମୋନାଲିସା ସହ ‘ହେଲେନ୍’ର ସଂପର୍କ କିମ୍ବା ମାଲାୟାଲମ ସିନେମାର କପି ରାଇଟ୍ସ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
Powered by Froala Editor