ଦେଶରେ ଦିନକରେ ୧୩୦୯୧ ନୂଆ ସଂକ୍ରମିତ, ୩୪୦ ମୃତ

ନୂଆଦିଲ୍ଲୀ: ଲଗାତାର କୋରୋନା ମାମଲାରେ ହ୍ରାସ ବୃଦ୍ଧି ଲାଗି ରହିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ହଜାର ୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୦ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୪୪ ଲକ୍ଷ ୧ ହଜାର ୬୭୦ ରେ ପହଁଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୨ ହଜାର ୧୮୯ରେ ପହଞ୍ଚିଛି ।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲିର ସୁସ୍ଥ ସଂଖ୍ୟାକୁ ମିଶାଇ ଏଯାବତ ୩ କୋଟି ୩୮ ଲକ୍ଷ ୯୨୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଦେଶରେ ମୋଟ ୧ ଲକ୍ଷ ୩୮ ହଜାର ୫୫୬ ଟି ସକ୍ରିୟ ମାମଲା ରହିଛି, ଯାହା ୨୬୬ ଦିନ ମଧ୍ୟରେ ସର୍ବନିମ୍ନ । ଦେଶରେ ଗତକାଲିର ୫୭ ଲକ୍ଷ ୫୪ ହଜାର ୮୧୭ ଟୀକାକରଣକୁ ମିଶାଇ ଏପର୍ୟ୍ୟନ୍ତ ୧୧୦ କୋଟି ୨୩ ଲକ୍ଷ ୩୪ ହଜାର ୨୨୫ ଟୀକାକରଣ ସରିଛି ।
Powered by Froala Editor