୨ ଦିନରେ ୩୭,୧୫୭ କୋଟିର କ୍ଷତି ସହିଲେ ଏଲନ୍ ମସ୍କ
ନୂଆଦିଲ୍ଲୀ: ଆମେରିକୀୟ ଇଲେକ୍ଟ୍ରିକ୍ ଯାନ ନିର୍ମାତା ଟେସଲାର ମୁଖ୍ୟ ଏଲନ୍ ମସ୍କ ଦୁଇ ଦିନରେ ୫୦୦୦ କୋଟି ଡଲାରର ସମ୍ପତ୍ତି ହରାଇଛନ୍ତି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେଉଛି ୩୭,୧୫୭ କୋଟି ଟଙ୍କାରୁ ଅଧିକ । ଏତେ ସମ୍ପତ୍ତି ହରାଇବା ସତ୍ତେ୍ୱ ସେ ବିଶ୍ୱ ଧନୀ ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ଟେସଲାର ସେୟାର ମୂଲ୍ୟରେ ହୋଇଥିବା ହ୍ରାସ ଯୋଗୁଁ ମସ୍କ ଏହି କ୍ଷତି ସହିଛନ୍ତି । ନିକଟରେ ସେ ନିଜର ୧୦% ସେୟାର ବିକ୍ରି କରିବେ ନା ନାହିଁ ସେଥିପାଇଁ ଟ୍ୱିଟରରେ ଲୋକମାନଙ୍କ ମତ ଲୋଡ଼ିଥିଲେ । ସେ ସ୍ପଷ୍ଟ କରିଥିଲେ ଯେ ଏହି ମତଦାନର ଫଳ ଯାହା ହେବ ତାହାକୁ ସେ ମାନିବେ । ଟେସଲାର ୧୦ ପ୍ରତିଶତ ସେୟାର ବିକ୍ରି କରିବା ସପକ୍ଷରେ ଅଧିକାଂଶ ଲୋକ ମତ ଦେଇଛନ୍ତି । ଏହା ଜଣାପଡ଼ିବା ପରେ ଷ୍ଟକ ବଜାରରେ ଟେସଲାର ସେୟାର ମୂଲ୍ୟ ହ୍ରାସ ପାଇଛି । କଂପାନିର ସେୟାର ମୂଲ୍ୟ ହ୍ରାସ ପାଇବା ପରେ କେବଳ ମସ୍କ ନୁହେଁ କଂପାନିର ଅନ୍ୟ ନିବେଶକମାନେ ମଧ୍ୟ କ୍ଷତି ସହିଛନ୍ତି । ଟେସଲାରେ ସେୟାର ରଖିଥିବା ଓରାକଲର ପ୍ରତିଷ୍ଠାତା ଲାରି ଏଲିସନ୍ ୨୧୦ କୋଟି ଡଲାର ହରାଇଛନ୍ତି । ସେହିପରି ଆର୍କ ଇନଭେଷ୍ଟମେଣ୍ଟ୍ ମ୍ୟାନେଜମେଣ୍ଟ ନାମକ ସଂସ୍ଥା ମଧ୍ୟ ୭୫୦ ନିୟୁତ ଡଲାର ହରାଇଛି । ଚଳିତ ବର୍ଷ ଜାନୁଆରିରେ ଆମାଜନ ମୁଖ୍ୟ ଜେଫ୍ ବେଜୋସଙ୍କୁ ଧନୀ ତାଲିକାର ଶୀର୍ଷ ସ୍ଥାନରୁ ହଟାଇଥିଲେ ମସ୍କ । ଉଭୟଙ୍କ ସମ୍ପତ୍ତି ଭିତରେ ଏକ ବୃହତ ଅନ୍ତର ସୃଷ୍ଟି ହୋଇଥିଲା । ସେହି ଅନ୍ତର ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍ ଗେଟସଙ୍କ ସମ୍ପତ୍ତି ମୂଲ୍ୟ ସହ ସମାନ ଥିଲା । ମାତ୍ର ଗତ ଦୁଇ ଦିନ ଭିତରେ ଟେସଲା ସେୟାର ଦାମ୍ ହ୍ରାସ ପାଇବା ପରେ ମସ୍କ ଓ ବଜୋସଙ୍କ ସମ୍ପତ୍ତି ମଧ୍ୟରେ ଥିବା ଅନ୍ତର ହ୍ରାସ ପାଇଛି ।
Powered by Froala Editor