ସିଂଘୁ ସୀମାରୁ ଚାଷୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଜଣେ ଚାଷୀଙ୍କ ଝୁଲନ୍ତା ମୃତଦେହ ଦିଲ୍ଲୀ ସୀମାନ୍ତ ସିଙ୍ଘୁ ସୀମାରୁ ମିଳିଛି। ମୃତ କୃଷକଜଣକ ହେଉଛନ୍ତି ପଞ୍ଜାବର ଆମରୋହ ଜିଲ୍ଲା ଅନ୍ତର୍ଗତ ଫତେଗଡ଼ ସାହିବ୍ର ବାସିନ୍ଦା ଗୁରପ୍ରୀତ୍ ସିଂହ। କୁଣ୍ଡଲି ପୁଲିସ ତାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି। କିନ୍ତୁ, ପୁଲିସ ତାଙ୍କ ମୃତ୍ୟୁର ସମ୍ଭାବ୍ୟ କାରଣ ସମ୍ପର୍କରେ ଏଯାବତ୍ କିଛି କିଛି ସୂଚନା ଦେଇନାହିଁ।
ଭାରତୀୟ କିଷାନ ୟୁନିୟନର ସିଦ୍ଧୁପୁର ସଂଗଠନର ସଦସ୍ୟ ଭାବେ ଗୁରୁପ୍ରୀତ ବେଶ ଜଣାଶୁଣା ଥିଲେ। ସେ ଦୀର୍ଘଦିନ ହେଲା ଅନ୍ୟ ଚାଷୀଙ୍କ ଭଳି ସିଙ୍ଘୁ ସୀମାନ୍ତରେ ହିଁ ଆନ୍ଦୋଳନ କରୁଥିଲେ। ଆଜି ଭୋରରୁ ହଠାତ୍ ତାଙ୍କ ମୃତଦେହ ମିଳିଛି ବୋଲି କୁହାଯାଇଛି।
ଗତମାସରେ ମଧ୍ୟ ସିଂଘୁ ସୀମାନ୍ତରେ ଲଖବୀର ସିଂହ ନାମରେ ଜଣେ ଶ୍ରମଜୀବୀଙ୍କ ଶବ ବ୍ୟାରିକେଡ୍ରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା। ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କ ଶରୀରକୁ କ୍ଷତବିକ୍ଷତ କରାଯିବା ସହ ଗୋଟାଏ ହାତ କାଟି ଦିଆଯାଇଥିଲା। ଉକ୍ତ ହତ୍ୟାକାଣ୍ଡ ଘଟଣାରେ ନିହାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଦୁଇଜଣ ସୋନିପତ ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ।
Powered by Froala Editor