ରାସ୍ତାରେ ଭୟଙ୍କର ଦୃଶ୍ୟ: ଜଣଙ୍କ ପରେ ଜଣଙ୍କୁ ଦଳି ଚାଲିଲା ସେଡାନ କାର୍

ରାଜସ୍ଥାନର ଯୋଧପୁରରେ ଗୋଟିଏ ସେଡାନ କାର୍ ରାସ୍ତାରେ ଯାଉଥିବା ଏକାଧିକ ଲୋକ ଓ ବାଇକଗୁଡ଼ିକ ଉପରେ ମାଡ଼ି ଯାଇଛି। ପଛପଟୁ କାର୍ଟି ଲୋକଙ୍କ ଉପରେ ମାଡ଼ି ଯାଉଥିବା ବେଳର ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭରେ କଏଦ ହୋଇଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଚୟ ମିଳିନି।
ସୂଚନା ଅନୁଯାୟୀ, ଯୋଧପୁର ସ୍ଥିତ ଗୋଟିଏ ବସ୍ତି ପାଖ ରାସ୍ତାରେ ଏପରି ଘଟଣା ଘଟିଛି। ସବୁ ଦିନ ଭଳି ଆଜି ମଧ୍ୟ ଲୋକମାନେ ଗାଡ଼ି ମୋଟରରେ ଯିବା ଆସିବା କରୁଥିଲେ। ସେହିପରି ଆଉ କିଛି ଚାଲି ଚାଲି ମଧ୍ୟ ଯିବା ଆସିବା କରୁଥିଲେ। ହଠାତ୍ ଗୋଟିଏ ଧଳା ରଙ୍ଗର ସେଡାନ ଦ୍ରୁତଗତିରେ ରାସ୍ତାରେ ଆସିବା ସହ ଗୋଟିଏ ପରେ ଗୋଟିଏ ବାଇକକୁ ଧକ୍କା ଦେଇ ଆଗକୁ ମାଡ଼ି ଚାଲିଥିଲା। ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ମଧ୍ୟ ଗାଡ଼ିଟି ପଛପଟୁ ଧକ୍କା ଦେଇଥିଲା। ସିରିଜ୍ ଦୁର୍ଘଟଣା କରିବା ପରେ ଶେଷରେ ରାସ୍ତା କଡ଼ରେ ଥିବା ଗୋଟିଏ ଉଠା ଦୋକାନରେ ଗାଡ଼ିଟି ପିଟି ହେବା ସହ ଅଟକି ଯାଇଥିଲା। ଡ୍ରାଇଭର ଜଣଙ୍କ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ପରେ ଏପରି ଘଟିଥିବା କୁହାଯାଉଛି। ପୁଲିସ୍ ଗାଡ଼ି ଚାଳକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ । ହସ୍ପିଟାଲରେ ଆହତଙ୍କୁ ଭେଟିବା ସହ ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି ଗେହଲଟ୍ ।
Powered by Froala Editor