ଧୀରେଧୀରେ ଡ୍ରଗ୍ସ ମାମଲାରେ ବଢୁଛି ଅଡୁଆ, ନୱାବଙ୍କ ନାଁ’ରେ ମାନହାନି କେସ୍ କରିଛନ୍ତି ୱାଙ୍ଖଡେଙ୍କ ବାପା
ମୁମ୍ବାଇ: ଧୀରେଧୀରେ ଡ୍ରଗ୍ସ ମାମଲାରେ ବଢୁଛି ଅଡୁଆ। ଏନସିବିର ଗୁରୁତ୍ୱପୂର୍ଣ୍ଣ ପଦରୁ ସମୀର ୱାଙ୍ଖଡେଙ୍କୁ ହଟାଯିବା ପରେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ୱାଙ୍ଖଡେଙ୍କ ବାପା। ୱାଙ୍ଖଡେଙ୍କ ବାପା ଧ୍ୟାନଦେବ ୱାଙ୍ଖଡେ ନୱାବ ମଲ୍ଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ମାନହାନୀ କେସ୍ କରିଛନ୍ତି। ନୱାବ ସୋସିଆଲ ମିଡିଆରେ ୱାଙ୍ଖଡେଙ୍କ ପରିବାରକୁ ଆକ୍ଷେପ କରୁଥିବାରୁ ଖାଲି ସେତିକି ନୁହେଁ ତାଙ୍କ ଜାତି ଉପରେ ପ୍ରଶ୍ନ ଉଠାଇ ଅଯଥା ବଦନାମ କରୁଛନ୍ତି ବୋଲି ସେ କହିଛନ୍ତି ।
ତେଣୁ ୱାଙ୍ଖଡେଙ୍କ ଓକିଲ ଅର୍ଶଦ ଶେଖଙ୍କ କହିବା ମୁତାବକ, ନୱାବ ମଲିକ୍ ୱାଙ୍ଖଡେଙ୍କ ପରିବାରକୁ ଫ୍ରଡ୍ ବୋଲି କହୁଛନ୍ତି। ତାଙ୍କ ଧର୍ମ ଉପରେ ପ୍ରଶ୍ନ ଉଠାଇ ସେ ହିନ୍ଦୁ ନୁହଁନ୍ତି ବୋଲି ମଧ୍ୟ କହୁଛନ୍ତି। ଏହି ଟିପ୍ପଣୀ ବାରମ୍ବାର ଗଣମାଧ୍ୟମରେ ଦେଉଥିବାରୁ, କେବଳ ୱାଙ୍ଖଡେଙ୍କ ପରିବାର ମାନସିକ ଚାପରେ ରହୁଛନ୍ତି ତାହା ନୁହେଁ ବରଂ ତାଙ୍କ ଝିଅ ଅର୍ଥାତ ସମୀରଙ୍କ ଭଉଣୀ ୟାସ୍ମିନଙ୍କ କ୍ୟାରିଅର ମଧ୍ୟ ପ୍ରଭାବିତ ହେଉଛି। ପରିବାର ସଦସ୍ୟଙ୍କ ନାଁ, ଚରିତ୍ର , ଓ ସାମାଜିକ ଛବିକୁ ବିଗାଡିଛନ୍ତି। ମଲ୍ଲିକ ଓ ତାଙ୍କ ପାର୍ଟି ନେତା ଓ ଅନ୍ୟମାନେ ୱାଙ୍ଖଡେଙ୍କ ପରିବାର ବିରୋଧରେ ଆପତ୍ତିଜନକ ଓ ମାନହାନୀକାରକ କଥା ଲେଖୁଛନ୍ତି । ତେଣୁ ଏହାକୁ ନେଇ ୱାଙ୍ଖଡେଙ୍କ ବାପା ନୱାବ ମଲ୍ଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧.୨୫ କୋଟି ଟଙ୍କାର ମାନହାନୀ ମାମଲା ଦାଏର କରିଛନ୍ତି।
Powered by Froala Editor