ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ବାରିପଦା: ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ଖୋଲିଲା ମୟୂରଭଞ୍ଜର ଶିମିଳିପାଳ ଅଭୟାରଣ୍ୟ । କୋରୋନା କଟକଣା ମାନି ଅଭୟାରଣ୍ୟକୁ ପ୍ରବେଶ କରିବେ ପର୍ୟ୍ୟଟକ । ଦୀର୍ଘ ୬ ମାସର ବ୍ୟବଧାନ ପରେ ପର୍ୟ୍ୟଟକ ବୁଲିବେ ଶିମିଳିପାଳ ଅଭୟାରଣ୍ୟ । ଅଭୟାରଣ୍ୟକୁ ପ୍ରବେଶ ପାଇଁ ବାରିପଦା ପିଠାବଟା ଗେଟ ଦେଇ ୨୫ଟି ଓ ଜଶିପୁର କାଳିଆଣି ଗେଟ ଦେଇ ୩୫ଟି ଚାରିଚକିଆ ଯାନକୁ ଅନୁମତି ଦିଆଯାଇଛି । ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତି ପତ୍ର ସକାଳ ୬ ଟାରୁ ୯ଟା ପର୍ୟ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ । ଚଳିତ ବର୍ଷ କୋଭିଡ ନିୟମ ମାନି ପର୍ୟ୍ୟଟକ ମାନେ ଅଭୟାରଣ୍ୟରେ ବୁଲିପାରିବେ ବୋଲି ଶିମିଳିପାଳ ବ୍ୟାଘ୍ର ସଂକ୍ଷରଣ ପ୍ରକଳ୍ପ କର୍ତ୍ତୃପକ୍ଷ ଗାଇଡ଼ ଲାଇନ ଜାରି କରିଛନ୍ତି ।
ପ୍ରତି ପର୍ୟ୍ୟଟକଙ୍କ ପିଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ୟ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ବଚ୍ଛ ରଖିବା ପାଇଁ ପର୍ୟ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବାକୁ ବାରଣ କରାଯାଇଛନ୍ତି । ତେବେ ଚଳିତ ବର୍ଷ ଶିମିଳିପାଳରେ ପର୍ୟ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ ମାଉଣ୍ଟେନ ସାଇକେଲିଂ । ତାଛଡା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ୟ୍ୟଟନ ସ୍ଥଳୀରେ ଭଲିବଲ, ବ୍ୟାଡମିଣ୍ଟନ, କ୍ୟାରମ ଚେସ ଆଦି ସହ ନେଟୱାର୍କର ସୁବିଧା କରାଯାଇଛି।ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ବର୍ଷା ଋତୁ ପାଇଁ ଜୁନ ମାସ ୧୫ ତାରିଖରୁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ହୋଇଥାଏ । ପୁନଃ ନଭେମ୍ବର ପହିଲାରେ ଖୋଲିଥାଏ ।
Powered by Froala Editor