ଲାଲ୍ ବାହିନୀକୁ ଶକ୍ତ ଝଟ୍କା; ଆତ୍ମସମର୍ପଣ କଲେ ୨୪ ମାଓବାଦୀ

ମାଲକାନଗିରି: ଲାଲ୍ ବାହିନୀକୁ ଲାଗିଛି ଶକ୍ତ ଝଟ୍କା । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ୨୪ ଜଣ ମାଓବାଦୀ କିସ୍ତାରାମଠାରେ ଥିବା ସିଆରପିଏଫର ୨୧୨ କୋବ୍ରା ବାଟାଲିଆନ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା । ବସ୍ତର ଆଇଜି ସୁନ୍ଦରରାଜ ପି, ସୁକୁମା ଏସପି ସୁନିଲ ଶର୍ମା ଓ ସିଆରପିଏଫ କମାଣ୍ଡେଣ୍ଟ ଜେପି ବତାଇଙ୍କ ଉପସ୍ଥିତିରେ ଏହି ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି ।
ନିଜର ସ୍ଥିତି ବଜାଇ ରଖିବା ଲାଗି ବସ୍ତର ଅଞ୍ଚଳରେ ଏବେ ମାଓବାଦୀମାନେ ଆଦିବାସୀ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଦିନକୁ ଦିନ ଏହା ଅତିଷ୍ଠ ହେବାକୁ ଲାଗିଛି । ମାଓ ନେତାମାନଙ୍କ ଜୁଲମ୍ ସହିନପାରି ସେମାନେ ପୁଲିସ୍ ନିକଟରେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ।
ଶତାଧିକ ଗାଁ ଲୋକଙ୍କ ସହ ମାଓବାଦୀମାନେ ସିଆରପିଏଫ କ୍ୟାମ୍ପରେ ପହଞ୍ଚି ଥିଲେ । ସେଠାରେ ଯବାନମାନେ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାପରେ ସେମାନଙ୍କୁ ଖାଇବାକୁ ଦିଆଯାଇଥିଲା । ପରେ ସେମାନେ ପୁଲିସ୍ ନିକଟରେ ବିଧିବଦ୍ଧ ଭାବେ ଆତ୍ମସମର୍ପଣ କରିଥିଲେ । ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଏସ୍ପି ଶ୍ରୀ ଶର୍ମା କହିଛନ୍ତି ।
Powered by Froala Editor