ରେଡିଓ କୋଲାର ଲଗାଇବାକୁ ଜଙ୍ଗଲରେ ବୁଲୁଛନ୍ତି ବିଶେଷଜ୍ଞ ଟିମ୍, ଧରାଦେଉନି ରାମୁ
ଚନ୍ଦକା ବନଖଣ୍ଡର ହାତୀଙ୍କ ବେକରେ ରେଡିଓ କୋଲାର ଲାଗିବ । ହାତୀ ଜନବସତି ମୁହାଁ ହେଉଥିବାରୁ ସେମାନଙ୍କ ଗତି ବିଧି ଯାଞ୍ଚ ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଏଥିପାଇଁ ବାଙ୍ଗାଲୋରସ୍ଥିତ ଏସିଆନ ଏଲିଫ୍ୟାଣ୍ଟ୍ ରିସର୍ଚ୍ଚ ସେଣ୍ଟରରୁ ୬ଜଣିଆ ବିଶେଷଜ୍ଞ ଟିମ୍ ମଧ୍ୟ ଆସିଛନ୍ତି। କୋଲକାତାରୁ ମଧ୍ୟ ଜଣେ ବିଶେଷଜ୍ଞଙ୍କୁ ଡକାଯାଇଛି।
ହେଲେ ରେଡିଓ କୋଲାରିଂ ପାଇଁ ୩ ଦିନ ହେବ ଉଦ୍ୟମ ଚାଲିଥିଲେ ମଧ୍ୟ ବନ ବିଭାଗ ସଫଳ ହୋଇପାରୁନି। ପ୍ରଥମେ ବଡ଼ ଦନ୍ତା ହାତୀ ରାମୁକୁ ଟାର୍ଗେଟ କରାଯାଇଛି। ବୁଧବାରଠାରୁ ରାମୁ ପଛରେ ପଡ଼ିଛି ଟ୍ରାଙ୍କୁଲାଇଜ୍ ଟିମ୍। କିନ୍ତୁ ଟ୍ରାଙ୍କୁଲାଇଜ କରିବାକୁ ସଫଳ ହୋଇପାରିନି ।
ସୂଚନା ଅନୁଯାୟୀ, ଦୁଇ ଦିନ ହେବ ଡ୍ରାଇଭିଂ ଟିମ୍ ଓ ଟ୍ରାଙ୍କୁଲାଇଜ ଟିମ୍ ପିଛା କରୁଥିବାରୁ ରାମୁ ଆହୁରି ଆକ୍ରମଣାତ୍ମକ ହୋଇପଡିଛି। ଟ୍ରାଙ୍କୁଲାଇଜ୍ ଉଦ୍ୟମବେଳେ ଆକ୍ରମଣ କରିବାକୁ ଗୋଡାଇ ଆସୁଛି। ଶୁକ୍ରବାର ସକାଳେ ନନ୍ଦନକାନନରୁ ଯାଇଥିବା ଟିମ୍ ଆଡ଼କୁ ରାମୁ ପ୍ରାୟ ୫୦ ମିଟର ବାଟ ଗୋଡ଼େଇ ଆସିଥିଲା। ନିଆଁ ହୁଳା ଦେଖାଇବା ପରେ ରାମୁ ପଳାଇଥିଲା। ସନ୍ଧ୍ୟାରେ ଡ୍ରାଇଭିଂ ଟିମ୍ ଭରତପୁର କୂଅ ସଉରା ଜଳାଶୟ ନିକଟ ଜଙ୍ଗଲ ଭିତରେ ରାମୁକୁ ଠାବ କରିଥିଲେ। ସେହି ସ୍ଥାନରେ ପ୍ରଥମେ ୩ ମିଲି ଲିଟର ମେଡ଼ିସିନାଲ ଟ୍ରାଙ୍କୁଲାଇଜର ମାଡ଼ କରିଥିଲେ। ପରେ ନନ୍ଦନକାନନ ଡାକ୍ତର ମଧ୍ୟ ଡବଲ ବ୍ୟାରେଲ ବାଲା ଗନ୍ରୁ ପ୍ରଥମେ ୫ ଓ ତା'ପରେ ୩ ଏମିତି ୮ ମିଲି ଲିଟର ମେଡ଼ିସିନ ମାଡ଼ କରିଥିଲେ। ହେଲେ ହାତୀ ସେଠାରୁ ଦୌଡ଼ି ଜଙ୍ଗଲ ଭିତରକୁ ପଳାଇଯାଇଥିଲା। ଅନ୍ଧାର ହୋଇଯିବାରୁ ଜଙ୍ଗଲ ଭିତରେ ରାମୁକୁ ଖୋଜିବା ଆଉ ସମ୍ଭବ ହୋଇ ନଥିଲା।
Powered by Froala Editor