ଆରପାରିରେ ସାଉଥ୍ କମେଡିଆନ୍ ବିବେକ
ଚେନ୍ନାଇ: ଟଲିଉଡ୍ ସୁପରଷ୍ଟାର ତଥା ସାଉଥ୍ କମେଡିଆନ୍ ବିବେକଙ୍କ ଶନିବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ହୋଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ବହୁ ଅଭିନେତା ସୋସିଆଲ୍ ମିଡିଆରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପୋଷ୍ଟ କରିଛନ୍ତି ।
ଗୁରୁବାର ବିବେକ ଏକ ସରକାରୀ ହସ୍ପିଟାଲରେ କୋଭିଡ୍ ଟିକାର ପ୍ରଥମ ଡୋଜ୍ ନେଇଥିଲେ । ଏହାପରେ ଅନ୍ୟମାନଙ୍କୁ ଟିକା ନେବାକୁ ଆହ୍ୱାନ ଦେଇଥିଲେ । ହେଲେ ଟିକା ନେବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ହୃଦଘାତର ଶିକାର ହୋଇଥିବା ଡାକ୍ତର କହିଥିଲେ । ଏହାପରେ ଏକ ସ୍ୱତନ୍ତ୍ର ଆଇସିୟୁ ଶଯ୍ୟାରେ ରଖାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଡାକ୍ତରୀ ଟିମ୍ ସୁସ୍ଥ କରିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ହେଲେ ସବୁ ଚେଷ୍ଟା ବିଫଳ ହୋଇଛି । ଶେଷରେ ଚିର ଦିନ ପାଇଁ ଆଖି ବୁଜିଛନ୍ତି ବିବେକ । ଶନିବାର ଭୋର୍ ପ୍ରାୟ ସାଢ଼େ ୪ଟା ବେଳେ ପରଲୋକ ହୋଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ଦିଆଯାଇଛି ।
ବିବେକଙ୍କ ମୃତ୍ୟୁ ଖବରପାଇ ପ୍ରସିଦ୍ଧ ମ୍ୟୁଜିସିଆନ୍ ତଥା ସଙ୍ଗୀତକାର ଏଆର୍ ରେହମାନ ଟୁଇଟ୍ କରି ଶୋକବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ବିବେକ ଆମ ଗହଣରେ ଆଉ ନାହାନ୍ତି ବୋଲି ବିଶ୍ୱାସ କରି ହେଉନି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।
ସୂଚନାଯୋଗ୍ୟ ଯେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ହେଉଛନ୍ତି ବିବେକ । ତାଙ୍କୁ ବିଶେଷ କରି ଫିଲ୍ମରେ କେମଡି ଚରିତ୍ରରେ ଦେଖିବାକୁ ମିଳେ । ସେ ୧୯୮୦ ଦଶକରେ ବାଲାଚନ୍ଦରଙ୍କ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ହିଟ୍ ତାମିଲ ଫିଲ୍ମରେ କାମ କରିଛନ୍ତି । ରନ୍, ପାର୍ଥିବାନ କନଭୁ, ଅନ୍ନିୟନ, ଶିବାଜି ଭଳି ଫିଲ୍ମରେ କାମ କରି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ରଜନୀକାନ୍ତ, କମଲ ହାସନଙ୍କ ସମେତ ଅନେକ ନାମୀଦାମୀ କଳାକାରଙ୍କ ସହ ଅଭିନୟ କରିଛନ୍ତି ।