ବିଧବା ବୋହୂ, ନାତି ନାତୁଣୀଙ୍କୁ ବାହାରେ ବସାଇଦେଲେ ଶାଶୂ ନଣନ୍ଦ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ପଞ୍ଚୁଘଣ୍ଟାରେ ଅମାନବୀୟ ଘଟଣା ଘଟିଛି । ଜଣେ ବିଧବା ବୋହୂକୁ ଶାଶୂ ନଣନ୍ଦ ବାହାରେ ଛାଡି ଦେଇ ତାଲା ପକାଇ ଦେଇଥିଲେ । ପୁଅ ଝିଅ ସହ ବୋହୂ ଜଣକ ରାତିସାରା ବାହାରେ ବସିଥିଲେ । ଏ ଘଟଣା ଜଣାପଡିବା ପରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଶାଶୂ ନଣନ୍ଦଙ୍କୁ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷରେ ପୀଡିତା ବୋହୂ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ।
ସୂଚନାନୁଯାୟୀ, ସ୍ଵର୍ଗତ ସୁଶାନ୍ତ କର୍ମକାରଙ୍କର ସ୍ତ୍ରୀ କୌଶଲ୍ୟା କର୍ମକାର ତାଙ୍କର ଝିଅ ଓ ପୁଅକୁ ନେଇ ଏକ ଘରେ ରହୁଥିଲେ। ଗତକାଲି ସନ୍ଧ୍ୟା ସମୟରେ କୌଶଲ୍ୟାଙ୍କ ପୁଅ ଦୋକାନକୁ ଯାଇଥିଲା ବେଳେ ତାଙ୍କ ସାବତ ଶାଶୂ, ବିଧବା ନଣନ୍ଦ ଓ ଭାଣିଜୀ କୌଣସି କାରଣ ନ ଥାଇ ଘରର କବାଟରେ ତାଲା ପକାଇ ଦେଇଥିଲେ। ବିଧବା ମହିଳା ନିଜର ବଢ଼ିଲା ଝିଅ ଓ ପୁଅକୁ ନେଇ ରାତିସାରା ରାସ୍ତା ପାଖ ବାରଣ୍ଡାରେ ବସିଥିଲେ। ତେବେ ନ୍ୟାୟ ପାଇଁ ଜଳେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନଥିଲା। ଶେଷରେ ଜଳେଶ୍ୱର ପୌରପରିଷଦର କିଛି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଉତକ୍ଷିପ୍ତ ହୋଇ ଶାଶୂ, ନଣନ୍ଦ ଓ ଭାଣିଜୀକୁ ଉତ୍ତମ ମଧ୍ୟମ ଦେଇ ବିଦା କରିଥିଲେ। ଏ ଘଟଣା ପରେ ବୋହୂ ଜଣକ ଅସହାୟ ହୋଇପଡିଛନ୍ତି । ସେ ପୁଲିିସ ଠାରୁ ସୁରକ୍ଷା ସହ ନ୍ୟାୟ ଭିକ୍ଷା କରିଛନ୍ତି ।
Powered by Froala Editor