ପଇଡ଼ ଭିତରେ ୭ କୁଇଣ୍ଟାଲ ଗଞ୍ଜେଇ ଚାଲାଣ

ପଇଡ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଲମତାପୁଟ ପୋଲିସ ଜବତ କରିଛି । ଗଞ୍ଜେଇ ଚାଲାଣ ଅଭିଯୋଗରେ ୨ ଜଣ ଯୁବକ ଗିରଫ ହୋଇଛନ୍ତି । ସେମାନେ ହେଲେ ଗଜେନ୍ଦ୍ର ତିୱାରୀ ଓ ହେଲ୍ପର ଶିବଶଙ୍କର ଚୌଧୁରୀ । ଏମାନଙ୍କ ଘର ବିହାରରେ ବୋଲି ଜଣାପଡିଛି । ୨୮ଟି ବସ୍ତାରେ ପ୍ରାୟ ୭ କୁଇଣ୍ଟାଲ ଗଞ୍ଜେଇ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।
ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦେଶ କ୍ରମେ ଏସଡ଼ିପିଓଙ୍କ ନେତୃତ୍ଵରେ ମାଛକୁଣ୍ଡ, ଲମତାପୁଟ ଏବଂ ଜଲାପୁଟର ୪ ଜଣିଆ ପୋଲିସ ଟିମ୍ ଗଠନ କରି କଞ୍ଚଣା ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା । ସଗର ଅଞ୍ଚଳରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ଅଟକାଇ ଥିଲା ପୋଲିସ୍ । ଟ୍ରକ ଡ଼ାଲାରେ ପଇଡ ବୋଝେଇ ଥିବା ଦେଖି ପୋଲିସ୍ କେବଳ ଗାଡ଼ି ଯାଞ୍ଚ କରି ଛାଡ଼ି ଦେଉଥିଲା । କିନ୍ତୁ ପୂର୍ବ ସୂଚନା ଅନୁଯାଇ ଗାଡ଼ି ନମ୍ବର ମେଳ ଖାଉଥିବାରୁ ଟ୍ରକକୁ ତନ ତନ କରି ଯାଞ୍ଚ କରିଥିଲା ପୋଲିସ । ପଇଡକୁ ବାହାର କରିବାରୁ ଏଥିରୁ ବିପୁଳ ପରିମାଣର ଗଂଜେଇ ଜବତ କରିଥିଲା ।
Powered by Froala Editor