ଟ୍ରକ୍ ସିକ୍ରେଟ୍ ଚାମ୍ବରରେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡ଼ି ବସିଲା ଏସଟିଏଫ୍
ଭୁବନେଶ୍ୱର: ପୁଲିସ୍କୁ ଭୂଆଁ ବୁଲାଇବାକୁ ଗଞ୍ଜେଇ ମାଫିଆମାନେ ନୂଆ ନୂଆ କୌଶଳ ଆପଣାଉଛନ୍ତି । ଭିନ୍ନ ତରିକା ବ୍ୟବହାର କରି ଅନେକ ସମୟରେ ଖସି ଯାଉଛନ୍ତି ମଧ୍ୟ । ଆଉ କିଛି ସ୍ଥାନରେ ଧରା ପଡ଼ୁଛନ୍ତି । ନିକଟରେ ଏକ ଟ୍ରକ୍ ଡାଲାରେ ଆଲମିରା ଭିତରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ କୋରାପୁଟରେ ଏସ୍ଟିଏଫ୍ ଟିମ୍ ଧରିଥିଲା । ଆଜି ଏସ୍ଟିଏଫ୍କୁ ପୁଣି ଏକ ସଫଳତା ମିଳିଛି । ଟ୍ରକ୍ ଡାଲାରେ ସିକ୍ରେଟ୍ ଚାମ୍ବର କରି ବିପୁଳ ପରିମାଣର ଗଞ୍ଜେଇ ନେଉଥିବା ବେଳେ ଏସ୍ଟିଏଫ୍ ଟିମ୍ ମାଡ଼ି ବସିଛି ।
ଡବ୍ଳ୍ୟୁବି୩୭ବି-୭୧୧୬ ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ୍ରେ ଗଞ୍ଜେଇ ଚାଲାଣ ହେଉଥିବା ଏସ୍ଟିଏଫ୍କୁ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଏକ ଟିମ୍ ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ମଥାନୀ ଛକ ନିକଟରେ ଚଢଉ କରିଥିଲା । ଯାଞ୍ଚ ବେଳେ ଟ୍ରକ୍ ଡାଲାରେ ଏକ ସିକ୍ରେଟ୍ ଚାମ୍ବର ଠାବ କରାଯାଇଥିଲା । ଏଥିରୁ ୯୯୦ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ହେଲା ଗଞ୍ଜାମ କୋଦଳା ଅଞ୍ଚଳର ପ୍ରଭାତ କୁମାର ସାହୁ । ଜେରା ବେଳେ ଗଞ୍ଜେଇ ଗଞ୍ଜାମରୁ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଅଭିଯୁକ୍ତ ସୂଚନା ଦେଇଛି । ତେବେ ଏହି ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଏସ୍ଟିଏଫ୍ ଅନୁମାନ କରୁଛି । ସେମାନଙ୍କୁ ଗିରଫ କରିବା ପାଇଁ ଖୋଳତାଡ଼ କରାଯାଉଛି ।
Powered by Froala Editor