ଶାଲିନୀଙ୍କ ଅଭିଯୋଗର ଜବାବ ରଖିଲେ ହନି ସିଂ
ହନି ସିଂଙ୍କ ବିରୋଧରେ ପତ୍ନୀ ଶାଲିନୀ ତଲୱାର ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ଶାଲିନୀ ତଲୱାର ହନି ସିଂଙ୍କୁ ଶାରୀରିକ ହିଂସା, ଯୌନ ଉତ୍ପୀଡ଼ନ, ହିଂସା, ମାନସିକ ନିର୍ଯ୍ୟାତନା ଏବଂ ଆର୍ଥିକ ହିଂସା ଅଭିଯୋଗ କରିଛନ୍ତି। ଶାଲିନୀ ହନି ସିଂଙ୍କ ବିରୋଧରେ ଦିଲ୍ଲୀର ଟିସ ହାଜାରି କୋର୍ଟରେ ମଧ୍ୟ ଆବେଦନ କରିଛନ୍ତି। ଏସବୁ ଭିତରେ ପ୍ରଥମ ଥର ପାଇଁ ହନି ସିଂ ମୁହିଁ ଖୋଲିଛନ୍ତି।
ହନି ସିଂ ଲେଖିଛନ୍ତି, '୨୦ ବର୍ଷର ମୋର ସାଥୀ/ପତ୍ନୀ ଶାଲିନୀ ତଲୱାରଙ୍କ ଦ୍ୱାରା ମୋ ଉପରେ ଏବଂ ମୋ ପରିବାର ଉପରେ ଲଗାଯାଇଥିବା ମିଥ୍ୟା ଅଭିଯୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଅଭିଯୋଗ ଗଭୀର ନିନ୍ଦନୀୟ। ମୋର ଗୀତ ପାଇଁ କଠୋର ସମାଲୋଚନା, ମୋ ସ୍ୱାସ୍ଥ୍ୟ ଉପରେ କଳ୍ପନାଜଳ୍ପନା ଏବଂ ନକାରାତ୍ମକ ଗଣମାଧ୍ୟମର କଭରେଜ୍ ସତ୍ତ୍ୱେ ମୁଁ କୌଣସି ସାର୍ବଜନୀନ ବିବୃତ୍ତି କିମ୍ବା ପ୍ରେସ୍ ନୋଟ୍ ଦେଇ ନାହିଁ । ତଥାପି ଏଥର ମୁଁ ଏହି ପ୍ରସଙ୍ଗରେ ନୀରବ ରହିବା ଠିକ୍ ମନେ କଲି ନାହିଁ । କାରଣ କିଛି ଅଭିଯୋଗ ମୋ ପରିବାର, ମୋର ବୃଦ୍ଧ ବାପା-ମା ଏବଂ ସାନ ଭଉଣୀ ଉପରେ ଲଗାଯାଉଛି - ଯିଏକି କଠିନ ସମୟରେ ମୋ ସହିତ ଠିଆ ହୋଇଥିଲେ। ମୁଁ ଏହି ଇଣ୍ଡଷ୍ଟ୍ରି ସହିତ ୧୫ ବର୍ଷରୁ ଅଧିକ ସମୟ ଧରି ଜଡିତ ଅଛି ଏବଂ ସାରା ଦେଶର କଳାକାର ଏବଂ ସଂଗୀତଜ୍ଞମାନଙ୍କ ସହିତ କାମ କରିଛି । ମୋ ପତ୍ନୀଙ୍କ ସହ ମୋର ସମ୍ପର୍କ ବିଷୟରେ ସମସ୍ତେ ଅବଗତ ଅଛନ୍ତି, ଏବଂ ସେ ସବୁବେଳେ ମୋ ସହିତ ସୁଟିଂ, ଇଭେଣ୍ଟ ଏବଂ ମିଟିଂରେ ଯାଇଛନ୍ତି ।'
ହନି ସିଂ ଆହୁରି ଲେଖିଛନ୍ତି, 'ମୁଁ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରୁଛି କିନ୍ତୁ ମୁଁ ଏଥିରେ ଅଧିକ ମନ୍ତବ୍ୟ ଦେବି ନାହିଁ କାରଣ ଏହି ମାମଲା କୋର୍ଟରେ ବିଚାରଧୀନ । ମୋର ଏହି ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଏବଂ ମୁଁ ନିଶ୍ଚିତ ଯେ ଶୀଘ୍ର ସତ୍ୟ ପ୍ରକାଶ ପାଇବ ।
Powered by Froala Editor