ମାଟି ତଳେ ଫସି ରହିଥିବା ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ସିସ୍ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍’ ବ୍ୟବସ୍ଥା
ଭୁବନେଶ୍ବର: ରାଜ୍ୟରେ ସମ୍ପ୍ରତି ବାତ୍ୟା ‘ଅର୍ଣ୍ଣବ’ ପରେ ଘଟିଥିବା ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ସହ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ଓ ଜୀବନ ରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୂସ୍ଖଳନ ପ୍ରଭାବିତ ପ୍ରତ୍ୟେକଟି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ଦ୍ରୁତଗତିରେ ଆଗେଇ ନେବା ସହିତ ମାଟି ତଳେ ଫସି ରହିଥିବା ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ପାଇଁ ସମସ୍ତ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରିବା ପାଇଁ କୁହାଯାଇଛି। ଉଦ୍ଧାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜି.ଉଦୟଗିରି ଭୂସ୍ଖଳନ ସ୍ଥଳରେ ସିଧାସଳଖ କାମ କରିବା ନିମନ୍ତେ ହେଲିକପ୍ଟର ଯୋଗେ ଅତ୍ୟାଧୁନିକ ‘ସିସ୍ମିକ୍ ଲାଇଫ୍ ଡିଟେକ୍ସନ୍ ୟୁନିଟ୍’ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଭାରତୀୟ ନୌସେନା ବ୍ୟବହୃତ ଏହି ଅତ୍ୟାଧୁନିକ ପ୍ରଯୁକ୍ତିରେ ଥିବା ସ୍ୱତନ୍ତ୍ର ସେନ୍ସର ଓ ସ୍କାନିଂ ମାଧ୍ୟମରେ ମାଟି, ପଙ୍କ କିମ୍ବା ଭଗ୍ନାବଶେଷ ତଳେ ଥିବା ଜୈବିକ ସଙ୍କେତକୁ ସହଜରେ ଚିହ୍ନଟ କରାଯାଇପାରିବ। ବନ୍ୟାଜନିତ କ୍ଷୟକ୍ଷତିର ଆକଳନ ଏବଂ ଆଗାମୀ ସମ୍ଭାବ୍ୟ ବାତ୍ୟାର ମୁକାବିଲାର ପୂର୍ବ ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ଠାରେ ଏକ ସମୀକ୍ଷା ବୈଠକରେ ଏହା କହିଛନ୍ତି।
ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ବିପର୍ଯ୍ୟୟ ସମୟରେ ଗଣମାଧ୍ୟମକୁ ସମ୍ପୂର୍ଣ୍ଣ ଆଧିକାରିକ ଓ ସଠିକ୍ ତଥ୍ୟ ଯୋଗାଇ ଦିଆଯାଉ। ଅନ୍ୟପକ୍ଷରେ, ଗଣମାଧ୍ୟମ ଓ ବିଭିନ୍ନ ସୂତ୍ରରୁ ଆସୁଥିବା ତଥ୍ୟ ଓ ଖବରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ଭ୍ରମାତ୍ମକ ଖବରର ନିରାକରଣ ହୋଇପାରିବ ଏବଂ ଜନସାଧାରଣଙ୍କ ନିକଟରେ ସତ୍ୟ ଓ ନିର୍ଭୁଲ ତଥ୍ୟ ପହଞ୍ଚିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଅଧିକ ଫଳପ୍ରଦ ହୋଇପାରିବ। ଏହି ସମୀକ୍ଷା ବୈଠକ ପରିପ୍ରେକ୍ଷୀରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଉଦ୍ଧାର କାର୍ଯ୍ୟରେ ରେଳ ବିଭାଗର ସକ୍ରିୟ ସହଯୋଗ ଲୋଡ଼ିଛନ୍ତି। ଭୂସ୍ଖଳନ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବା ପାଇଁ ପୂର୍ବତଟ ରେଳପଥ ସହାୟତାରେ ଚେନ୍ ପୁଲିଂ ସିଷ୍ଟମ୍ ବ୍ୟବହାର ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ଏନ୍ଡିଆରଏଫ୍, ଓଡ୍ରାଫ୍, ଅଗ୍ନିଶମ ଏବଂ ଏସ୍ଓଜି ଭଳି ପ୍ରମୁଖ ଉଦ୍ଧାରକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା, ରାସ୍ତାଘାଟ ଏବଂ ଅନ୍ୟାନ୍ୟ ଜରୁରୀ ସେବାଗୁଡ଼ିକୁ ପୁନରୁଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।
Powered by Froala Editor