OAS ରୁ IASକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ
ଭୁବନେଶ୍ବର: ନିକଟରେ OASରୁ IASକୁ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ୧୪ ଜଣ ପଦୋନ୍ନତି ପାଇଥିବା ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗର ଅତିରିକ୍ତ ସଚିବ ଦେବାଶିଷ ସିଂଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୧୪ ଜଣ OAS ଅଧିକାରୀଙ୍କୁ ସରକାର ଗ୍ରେଡ ପଦୋନ୍ନତି ଦେଇଛନ୍ତି ।
ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ସୂର୍ଯ୍ୟ ନାରାୟଣ ଦାସ, ସୌଦାମିନୀ ସେଠୀ ଏବଂ ଶୁଭ୍ରା ମହାନ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି । ଜ୍ୟୋତିର୍ମୟୀ ପ୍ରଧାନ ଓ ବବିତା ମହାନ୍ତିଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ମିଳିଛି । ମଧୁମିତା ନାୟକ ଶ୍ରମ ଓ ESI ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ନେବେ । ଭୁବନେଶ୍ୱରସ୍ଥିତ ESI ନିର୍ଦ୍ଦେଶକ ଭାବେ ପୂର୍ବଭଳି ଅତିରିକ୍ତ ଦାୟିତ୍ୱ ଜାରି ରଖିବେ ।
ଯୋଜନା ଓ ସମନ୍ୱୟ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଅନୁଜ କୁମାର ଦାସ ପଟ୍ଟନାୟକ । ଶିଳ୍ପ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ଜ୍ୟୋତି ରଞ୍ଜନ ମିଶ୍ର । ଗ୍ରାମ୍ୟ ଉନ୍ନୟନ ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି ସଂଘମିତ୍ରା ଶତପଥୀ । ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଦାୟିତ୍ୱ ଦିଆଯାଇଛି । ଅନ୍ୟପକ୍ଷରେ ସୁମିତା ସରକାର, ବାଳମକୁନ୍ଦ ଭୂୟାଁ ଏବଂ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ ସେମାନଙ୍କ ବର୍ତ୍ତମାନ ପଦବୀରେ ହିଁ ଜାରି ରହିବାକୁ ଅନୁମତି ମିଳିଛି । ସେହିପରି କେନ୍ଦୁଝରସ୍ଥିତ ଅତିରିକ୍ତ କମିଶନର ପଦବୀରେ ଥିବା ମଧୁମିତା ନାୟକ ପୂର୍ବ ଭଳି ଉକ୍ତ ପଦବୀରେ କାମ ଜାରି ରଖିବେ ।
ସେହିପରି ୧୪ ଜଣ ଓଡ଼ିଶା ପ୍ରଶାସନିକ ସେବା ବା OAS ଅଧିକାରୀଙ୍କୁ ପଦୋନ୍ନତି ମିଳିଛି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଘାସିରାମ ମୁର୍ମୁଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି । O.R.S.P. ନିୟମାବଳୀ, ୨୦୧୭ ଅନୁସାରେ ନିର୍ଦ୍ଧାରିତ Pay Matrixର ସ୍ତର-୧୨ ଅନୁଯାୟୀ ପଦୋନ୍ନତି ପ୍ରଦାନ କରାଯାଇଛି । ପଦୋନ୍ନତିଗୁଡ଼ିକ ଆଡ୍ ହକ୍ ଭିତ୍ତିରେ ଦିଆଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି । ଗ୍ରେଡ ପଦୋନ୍ନତି ପାଇଥିବା ବରିଷ୍ଠ ଓଏଏସ ଅଧିକାରୀ ହେଉଛନ୍ତି ସ୍ମିତା ଚମ୍ପତି ରାୟ, ପ୍ରିୟଦର୍ଶିନୀ ମଲ୍ଲିକ, ଏଲୋରା ସାହା, ମମତା ବାରିକ, ଜୟଶ୍ରୀ ବେହେରା, ମଧୁମିତା ସାହୁ, ଚନ୍ଦ୍ରଶେଖର ମଲ୍ଲିକ, ଲଲାଟ କୁମାର ନାୟକ, କାନ୍ତି ରଞ୍ଜନ ବେହେରା, ଅରୁଣ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ସେଠୀ, ନିଶିକାନ୍ତ ବେହେରା, ନବକୃଷ୍ଣ ବେହେରା, ରମେଶ ଚନ୍ଦ୍ର ଜେନା ।
Powered by Froala Editor