ପ୍ରଥମ ଥର ଏନ୍କ୍ଲୋଜର ବାହାରେ ୪ଟି ଚିତା ଶାବକ ଜନ୍ମ
ମଧ୍ୟପ୍ରଦେଶର ସିଓପୁରସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତା ୪ଟି ଶାବକକୁ ଜନ୍ମ ଦେଇଛି। ପ୍ରଥମ ଥର ପାଇଁ ଜଙ୍ଗଲରେ ପାଳିତ ଭାରତୀୟ ଜନ୍ମିତ ମାଈ ଚିତା ଏନ୍କ୍ଲୋଜର ବାହାରେ ପ୍ରସବ କରିଛି। ପୂର୍ବରୁ ପ୍ରଥମ ଭାରତୀୟ ଜନ୍ମିତ ମାଈ ଚିତା ମୁଖୀ ଏନ୍କ୍ଲୋଜର ଭିତରେ ପ୍ରସବ କରିଥିଲା। ତେବେ ଜଙ୍ଗଲରେ ମିଳନ ଏବଂ ଛୁଆ ଜନ୍ମ ଏକ ମାଇଲଖୁଣ୍ଟ। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ଘଟଣାକୁ ଐତିହାସିକ ବୋଲି କହିଛନ୍ତି।
୨ ବର୍ଷର ମା’ ଚିତା ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ‘ଗାମିନି’ଠାରୁ ଜନ୍ମଲାଭ କରିଥିଲା। ଗତବର୍ଷ ଦୁହେଁ ଏକାଠି ବୁଲୁଥିବାର ଦେଖାଯାଇଥିଲା। ବନ୍ୟ ଅଧିକାରୀ ଭାରତରେ ଜନ୍ମିତ ଏହି ଚିତା ନିଜର ଶାବକ ଜନ୍ମ ଦେବା ଘଟଣାକୁ ଏକ ବଡ଼ ସଫଳତା ବୋଲି କହିଛି। ଜାତୀୟ ଉଦ୍ୟାନର ଫିଲ୍ଡ ଡାଇରେକ୍ଟର ଉତ୍ତମ ଶର୍ମା କହିଛନ୍ତି, ଚିତାମାନେ ପୂର୍ବରୁ ଜଙ୍ଗଲ ସହିତ ଖାପ ଖୁଆଇ ସାରିଛନ୍ତି ଓ ମୁକ୍ତ ଭାବରେ ବିଚରଣ କରୁଛନ୍ତି। ଚିତାମାନେ ଭାରତୀୟ ପରିବେଶରେ ଖାପ ଖୁଆଇସାରିଥିବାର ଏହା ପ୍ରମାଣ ବୋଲି ସେ କହିଛନ୍ତି।
କୁନୋ ଜାତୀୟ ଉଦ୍ୟାନରେ ଗତ ତିନି ବର୍ଷରେ ୪୩ ଟି ଚିତା ଜନ୍ମଲାଭ କରିଛନ୍ତି।
Powered by Froala Editor