ଟ୍ରିପଲ ମର୍ଡର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ହତ୍ୟା ଅଭିଯୁକ୍ତ ମୃତ
ଦେବଗଡ଼: ଟ୍ରିପଲ ମର୍ଡରର ଅଭିଯୁକ୍ତ ମୃତ । ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହତ୍ୟା ଅଭିଯୁକ୍ତ ରମେଶ ଗରିଆର ମୃତ୍ୟୁ ହୋଇଛି । ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଗରିଆପାଲି ଗାଁରେ ସ୍ତ୍ରୀ, ବୋହୂ ଓ ନାତୁଣୀକୁ ହାତୁଡ଼ିରେ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୁକ୍ତ ରମେଶ ଗରିଆ(୫୫)ଙ୍କୁ ପୁଲିସ ଗତକାଲି ଗିରଫ କରିଥିଲା। ତେବେ ସେ ବିଷ ପିଇ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର (୧୧ତାରିଖ) ବିଳମ୍ବିତ ରାତ୍ରିରେ ସ୍ତ୍ରୀ ଗୁଲ ଗରିଆ, ବୋହୂ ଲିପି ଗରିଆ ଓ ୫ବର୍ଷର ନାତୁଣୀ ଈଶାନୀକୁ ହାତୁଡ଼ିରେ ପିଟିପିଟି ରମେଶ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା। ପୁଅ ଧୀରେନଙ୍କ ଅଭିଯୋଗ ଆଧାରରେ କୁଣ୍ଢେଇଗୋଳା ଥାନା ପୁଲିସ ହତ୍ୟା ମାମଲା ଋଜୁ କରି ତଦନ୍ତ କରୁଥିଲା। ଶନିବାର ସକାଳେ ରମେଶ ଗାଁ ପାଣିଟାଙ୍କି ଉପରେ ଥିବାବେଳେ ଏହାର ଚାରିପାଖରେ ଘେରିଯିବା ସହ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ରମେଶ ପାଣିଟାଙ୍କି ଉପରୁ ତଳକୁ ଡେଇଁ ପଡ଼ିବାର ଆଶଙ୍କା ରହିଥିଲା। ତେଣୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ପୁଲିସ ଅଭିଯୁକ୍ତ ରମେଶକୁ କାବୁ କରିଥିଲା।
ଅପରପକ୍ଷେ ରମେଶ ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିଥିବାରୁ ତାକୁ କୁଣ୍ଢେଇଗୋଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ମାତ୍ର ରମେଶ ବିଷପାନ କରିଥିବା ଡାକ୍ତର ସନ୍ଦେହ କରିବାରୁ ପ୍ରାଥମିକ ଚିକିତ୍ସା ପରେ ଛତାବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପରେ ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଆଜି ତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
Powered by Froala Editor