ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ ମହିଳା
ଭୁବନେଶ୍ବର: ଅଗ୍ନିଶମ ସେବା ତରଫରୁ ୨୦୨୫ ବର୍ଷରେ ପ୍ରାୟ ୨୦,୯୯୧ଟି ଅଗ୍ନିକାଣ୍ଡଜନିତ କଲ୍ ଗ୍ରହଣ କରାଯାଇ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି। ଏଥିରେ ପ୍ରାୟ ୫୯୮ କୋଟି ଟଙ୍କାର ସମ୍ପତ୍ତି ସୁରକ୍ଷିତ ରଖାଯାଇପାରିଥିବା ସହ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏଥିସହିତ ବିଭିନ୍ନ ଦୁର୍ଘଟଣାରେ ୯,୫୪୭ ବ୍ୟକ୍ତି ଏବଂ ୧୬,୩୯୯ ପଶୁଙ୍କୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି। ନିକଟରେ ଭୁବନେଶ୍ବରର ବରମୁଣ୍ଡାଠାରେ ପ୍ରତିଷ୍ଠା ହୋଇଥିବା ୨୪ ଘଣ୍ଟିଆ ରାଜ୍ୟ କମାଣ୍ଡ ସେଣ୍ଟର ଉଦ୍ଧାର ଓ ସହାୟତା କାର୍ଯ୍ୟକୁ ତ୍ବରାନ୍ବିତ କରୁଛି। ଆଗାମୀ ଦିନରେ ମହିଳାମାନେ ମଧ୍ୟ ଅଗ୍ନିଶମ ସେବା କ୍ଷେତ୍ରରେ ନିଯୁକ୍ତି ପାଇବେ। ବିଭିନ୍ନ ପ୍ରକାର ଦୁର୍ଘଟଣାରୁ ଧନ ଓ ଜୀବନକୁ ସୁରକ୍ଷା ଦେବା ସହିତ ପ୍ରତିବର୍ଷ ପାଣିରେ ବୁଡ଼ି ଘଟୁଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ ଅଗ୍ନିଶମ ବିଭାଗକୁ ଆହୁରି ଦକ୍ଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦେଶ ଦେଇଛନ୍ତି।
ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଆୟୋଜିତ ଅଗ୍ନିଶମ ଓ ଜରୁରୀକାଳୀନ ସେବା, ହୋମଗାର୍ଡ ଏବଂ ନାଗରିକ ସୁରକ୍ଷା କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ୩୪୬ଟି ଦମକଳ କେନ୍ଦ୍ର ମାଧ୍ୟମରେ ଅବିଳମ୍ବେ ସେବା ପ୍ରଦାନକୁ ଗୁରୁତ୍ୱ ଦିଆଯାଉଛି। ଅଗ୍ନିଶମ ସେବାକୁ ଅଧିକ ସକ୍ରିୟ, ଅଗ୍ନି ସୁରକ୍ଷା ଲାଇସେନ୍ସ ପ୍ରଦାନ ଏବଂ ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସୁଗମ ଓ ତ୍ୱରିତ କରାଯିବା ନେଇ ଅଗ୍ନିଶମ ସେବା ପୋର୍ଟାଲ ୨.୦ କାର୍ଯ୍ୟକାରୀ ହୋଇଛି ବୋଲି ଅଗ୍ନିଶମ ସେବା ଡିଜି ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଥିଲେ। ବୈଠକରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Powered by Froala Editor