ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ବିଭିନ୍ନ ବ୍ଲକରୁ ୫୫ଯୋଡ଼ା ବରକନ୍ୟା ବିବାହ ବନ୍ଧନରେ ହେଲେ ଆବଦ୍ଧ
କଟକ: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କେବଳ ଏକ ସରକାରୀ ସହାୟତା ନୁହେଁ, ଏହା ବାଲ୍ୟବିବାହ ବିରୋଧରେ ଏକ ସଙ୍କଳ୍ପ। ଯୌତୁକ ପ୍ରଥା ବିରୋଧରେ ସାମାଜିକ ବାର୍ତ୍ତା ଓ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବାର ଏକ ଦୃଢ଼ ପଦକ୍ଷେପ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ଗୁରୁବାର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାମୂହିକ ବିବାହ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହା କହିଛନ୍ତି। ଏହି ଯୋଜନା ଅଧୀନରେ ୧୮ବର୍ଷରୁ ଊର୍ଦ୍ଧ୍ବ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଯେଉଁଥିରୁ ୪୫ ହଜାର ଟଙ୍କା ସିଧାସଳଖ ନଗଦ ହସ୍ତାନ୍ତର ମାଧ୍ୟମରେ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଛି। ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି।
କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆର୍ଥିକ ଅନଟନରେ ଥିବା ପରିବାର ପାଇଁ ଏକ ବରଦାନ ସଦୃଶ ବୋଲି କହିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ କମିସନର ତଥା ଶାସନ ସଚିବ ଡ. ମୃଣାଳିନୀ ଦରସ୍ବାଲ ସ୍ବାଗତ ଭାଷଣ ଦେଇ ସମାଜରେ ସମାନତା ଆଣିବାରେ ଏହି ଯୋଜନା ସହାୟକ ହୋଇପାରିବ ବୋଲି ମତ ଦେଇଥିଲେ। ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଧନ୍ୟବାଦ ଦେଇଥିଲେ। କଟକ ଜିଲାର ବିଭିନ୍ନ ବ୍ଲକରୁ ୫୫ଯୋଡ଼ା ବରକନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସାଧାରଣ ବର୍ଗର ବର କନ୍ୟା ରହିଥିଲେ। ବିବାହ ଅନୁଷ୍ଠିତ ହେଉଥିବା ସମୟରେ ଉପ ମୁଖ୍ୟମନ୍ତ୍ରୀ ବିବାହ ମଣ୍ଡପକୁ ଯାଇ ନବଦମ୍ପତିଙ୍କୁ ଶୁଭାଶୀର୍ବାଦ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲାପାଳ ଡ. ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Powered by Froala Editor