କ୍ରସ୍କଂ ଭୋଟିଂ ଭୟ: କଂଗ୍ରେସ ବିଧାୟକଙ୍କ ଭୁବନେଶ୍ବରରୁ ବେଙ୍ଗାଲୁରୁ ଯାତ୍ରା
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଓ ଘୋଡ଼ା ବେପାର ଭୟରେ କଂଗ୍ରେସ ତା’ର ବିଧାୟକମାନଙ୍କୁ ଓଡ଼ିଶା ବାହାରକୁ ସ୍ଥାନାନ୍ତର କରିଛି। ଗୁରୁବାର ପୂର୍ବାହ୍ଣରେ ଭୁବନେଶ୍ବରରେ ନିର୍ବାଚନ ପୂର୍ବରୁ ଉପସ୍ଥିତ ରହିବା ପାଇଁ ହ୍ବିପ ଜାରି କରିଥିଲେ ସୁଦ୍ଧା ଘୋଡ଼ା ବେପାର ଆଶଙ୍କାରେ ଭୟଭୀତ ହୋଇ କଂଗ୍ରେସ ବିଧାୟକଗଣ ଭୁବନେଶ୍ବରରୁ ବେଙ୍ଗାଲୁରୁ ଯାତ୍ରା କରିଛନ୍ତି। ପ୍ରଥମେ କଂଗ୍ରେସ ଶାସିତ ରାଜ୍ୟ ତେଲେଙ୍ଗାନାର ହାଇଦ୍ରାବାଦକୁ ଯିବାକୁ ସ୍ଥିର ହୋଇଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ବିଧାୟକମାନେ ବେଙ୍ଗାଲୁରୁ ଯାଇଛନ୍ତି। କର୍ଣ୍ଣାଟକର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶ୍ରୀକୁମାର କଂଗ୍ରେସ ବିଧାୟକଙ୍କ ରହଣୀ ବ୍ୟବସ୍ଥା କରିଥିବା ଜଣାପଡିଛି। କର୍ଣ୍ଣାଟକରେ କଂଗ୍ରେସ ସରକାର କ୍ଷମତାସୀନ ଥିବାରୁ ସେଠାରେ ଦଳୀୟ ବିଧାୟକ ସୁରକ୍ଷିତ ରହିବେ ବୋଲି କଂଗ୍ରେସ ଶୀର୍ଷ ନେତୃତ୍ବ ଆଶା କରୁଛନ୍ତି। ବେଙ୍ଗାଲୁରୁ ଯାତ୍ରା କରିଥିବା କଂଗ୍ରେସ ବିଧାୟକ ଏବଂ ନେତାଙ୍କ ମଧ୍ୟରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ୧୧ଜଣ ବିଧାୟକ ଅଛନ୍ତି। ସେମାନେ ହେଲେ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକଗଣ ଅଶୋକ ଦାସ, ସି.ଏସ.ରାଜନ ଏକ୍କା, ମଙ୍ଗୁ ଖିଲ, ପବିତ୍ର ସାଉଁନ୍ତା, ପ୍ରଫୁଲ ପ୍ରଧାନ, ସତ୍ୟଜିତ ଗମାଙ୍ଗେ, କାଡାକା ଆପାଲା ସ୍ବାମୀ, ତାରା ପ୍ରସାଦ ବାହିନୀପତି, ସାଗର ଦାସ ଏବଂ ନୀଳମାଧବ ହିକାକା। ତେବେ ବିମାନ ଟିକଟ ହୋଇଥିଲେ ସୁଦ୍ଧା ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ବିମାନ ବନ୍ଦରରେ ବିଧାୟକ ଦାସରଥି ଗମାଙ୍ଗ, ରମେଶ ଜେନା ପହଞ୍ଚି ପାରି ନଥିଲେ।
କିନ୍ତୁ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷଙ୍କୁ ବେଙ୍ଗାଲୁରୁ ଡ଼କାଯାଇ ନଥିବା ଜଣାପଡିଛି। କଂଗ୍ରେସର ବିଧାୟକ ମାନଙ୍କୁ କିଛି ବିଜେପି ନେତା ଏବଂ ଅଧିକାରୀ ଯୋଗାଯୋଗ କରିବା ନେଇ ଜଣାପଡିବା ପରେ କଂଗ୍ରେସ ନେତୃତ୍ବ ଭୟଭୀତ ହୋଇ ପଡିଥିଲେ। ରାଜ୍ୟସଭା ନିର୍ବାଚନ ପୂର୍ବରୁ ବିଧାୟକମାନଙ୍କୁ ରାଜ୍ୟ ବାହାରକୁ ପଠାଇ ଦିଆଯିବା ରାଜ୍ୟ ରାଜନୈତିକ ଇତିହାସରେ ପ୍ରଥମ ଘଟଣା।
ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଇଦାନକୁ ଓହ୍ଲାଇବା ପରେ ରାଜ୍ୟରେ କ୍ରସ ଭୋଟିଂ ଭୟ ସୃଷ୍ଟି ହୋଇଛି। ୧୪ ବିଧାୟକଙ୍କୁ ଏକାଠି ରଖିବା ପାଇଁ ସୁଚିନ୍ତିତ ରଣନୀତି ଅନୁଯାୟୀ, କଂଗ୍ରେସ ଶାସନଧୀନ କର୍ଣ୍ଣାଟକ ରାଜ୍ୟକୁ ପଠାଇ ଦିଆଯାଇଛି। ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ୨୦୦୨ ରାଜ୍ୟସଭା ନିର୍ବାଚନରେ ଦଳର ନିଷ୍ପତ୍ତିକୁ ଅମାନ୍ୟ କରି ଦିଲୀପ ରାୟଙ୍କୁ ସମର୍ଥନ କରିଥିଲେ। ସେ ଏବେ ମଧ୍ୟ କଂଗ୍ରେସର ବିଧାୟକ ଅଛନ୍ତି। ସେହିଭଳି ବହୁ କଂଗ୍ରେସ ବିଧାୟକଙ୍କ ଦିଲୀପ ରାୟଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ରହିଛି। ମିଳିତ ପ୍ରାର୍ଥି ଡା. ଦତ୍ତେଶ୍ବର ହୋତାଙ୍କ ନିର୍ବାଚନ ଫଳାଫଳ ଯାହା ହେଉନା କାହିଁକି କଂଗ୍ରେସ ତାଙ୍କ ସପକ୍ଷରେ ୧୪ଖଣ୍ଡ ପ୍ରଥମ ପସନ୍ଦ ଭୋଟ ଦେଇ ଦଳର ଏକତା ରାଜ୍ୟବାସୀଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାକୁ ଉଦ୍ୟମ କରୁଛି। ବିଧାୟକ ରମେଶ ଜେନା ଆସିବେ ବୋଲି କହିଥିଲେ ସୁଦ୍ଧା ନିର୍ଦ୍ଧାରିତ ସମୟରେ ବିମାନ ବନ୍ଦରରେ ପହଞ୍ଚି ନଥିଲେ। ବିଧାୟକ ଦାଶରଥି ଗମାଙ୍ଗଙ୍କ ସହ ରାଜ୍ୟ କଂଗ୍ରେସ ନେତୃତ୍ବ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସୁଇଚ୍ଅଫ ଥିବାରୁ ଯୋଗାଯୋଗ ସମ୍ଭାବ ହୋଇନାହିଁ।
Powered by Froala Editor