ଭାରତ ବନ୍ଦ ଡାକରାରେ ଖଣିଜ ପରିବହନ ବନ୍ଦ
କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଅଞ୍ଚଳରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଗୁରୁବାର ଶତାଧିକ କର୍ମୀ ବାଶଂପାଣି ଛକ ଠାରୁ ହାତରେ ପତାକା ଓ ବ୍ୟାନର ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ । ଅଖିଳ ଭାରତୀୟ ଯୁବ ସଂଘ କେନ୍ଦୁଝର ଜିଲ୍ଲା ସମ୍ପାଦକ ହୃଦାନନ୍ଦ ପ୍ରଧାନ କହିଛନ୍ତି ଯେ, ବିଜେପି ସରକାର ଶ୍ରମିକ ମାନଙ୍କର ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ୪ଟି ଶ୍ରମ କାର୍ଡ ଆଣିଛି ଯାହାକି ଶ୍ରମିକ ମାନଙ୍କର ସ୍ୱାର୍ଥ ବିରୋଧୀ । ଶ୍ରମ କାର୍ଡକୁ ବାତିଲ କରି ପୂର୍ବ ଶ୍ରମ କାର୍ଡକୁ ଲାଗୁ କରିବା, ମହିଳା ଶ୍ରମିକଙ୍କୁ ରାତ୍ରିରେ କାର୍ଯ୍ୟରେ ନିୟୋଜିତ ନକରିବାକୁ ଦାବି କରି ଏହି ଧର୍ମଘଟ ଜାରି ରହିଛି । ଶ୍ରମିକ ନେତା ସଞ୍ଜୟ କୁମାର ପହି, ଧରଣୀଧର ବାରିକ୍, ରଞ୍ଜିତ କୁମାର ଦାସ, ତରଣୀସେନ ମହାନ୍ତ, ପୁରୁଷୋତ୍ତମ ମହାନ୍ତଙ୍କ ସହ ଅନ୍ୟମାନେ ଧର୍ମଘଟକୁ ପରିଚାଳନା କରିଥିଲେ ।
ଯୋଡ଼ା ସହର ଓ ଆଖପାଖ ଅଞ୍ଚଳରେ ଦୋକାନ ବଜାର ବନ୍ଦ ରହିବା ସହିତ ଖଣି ଗୁଡ଼ିକରୁ ଖଣିଜ ପରିବହନ ବନ୍ଦ ରହିଥିଲା । ଯୋଡ଼ା ବସ୍ଷ୍ଟାଣ୍ଡ, ଭଦ୍ରାସାହି ଛକ, ୫୨୦ ନମ୍ବର ଜାତୀୟ ରାଜପଥର କଳାପାହାଡ ଛକ, ଡିଏଭି ସ୍କୁଲ ଛକ, ବାଂଶପାଣି ଟୋଲ୍ଗେଟ୍ ଛକ, ଜୁରୁଡ଼ି ରାସ୍ତାକୁ ଲୋକେ ଅବରୋଧ କରିଥିଲେ । ଫଳରେ ଶହ ଶହ ଟ୍ରକ୍ ରାସ୍ତା କଡ଼ରେ ଅଟକି ରହିଛି । ଏହି ଭାରତ ବନ୍ଦ ଡାକରା ପାଇଁ ଯାତ୍ରୀବାହୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।
ଦୋକାନ ବଜାର ବନ୍ଦ ସାଙ୍ଗକୁ ୪ ଚକିଆ ଯାନ ଚଳାଚଳ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ୍, ସ୍କୁଲ, ବ୍ଲକ୍ ଅଫିସ୍, ବୀମା କାର୍ଯ୍ୟାଳୟ, ପୌର ପରିଷଦ ଅଫିସ, ଖଣି ଉପ ନିର୍ଦ୍ଦେଶକ କାର୍ଯ୍ୟାଳୟ ଓ କେତେକ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିଛି । ଯୋଡ଼ା ଖଣି ଅଞ୍ଚଳରେ ଏଆଇଟିୟୁସି ଓ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଅବରାଧ ଓ ପିକେଟିଂ କରି ବନ୍ଦ ପାଳନ କରାଯାଇଛି ।
Powered by Froala Editor