୨୬୨ ତାଲିବାନ ଆତଙ୍କବାଦୀଙ୍କୁ ମାରିଲା ଆଫଗାନ ସେନା ବାହିନୀ, ଦେଶ ସାରା କର୍ଫ୍ୟୁ

ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟର ସୂଚନା ଅନୁଯାୟୀ, ସୁରକ୍ଷା ବାହିନୀର ଯବାନମାନେ ବିଗତ ୨୪ ଘଣ୍ଟା ମଧ୍ୟରେ ୨୬୨ ଜଣ ତାଲିବାନ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ବିଭିନ୍ନ ରାଜ୍ୟରେ ସେନା ପକ୍ଷରୁ ଜାରି ରହିଥିବା ଅଭିଯାନ ବଳରେ ଏହି ଆତଙ୍କବାଦୀମାନଙ୍କୁ ନିହତ କରାଯାଇଛି । ଏଥି ସହିତ ସରକାର ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ଅଭିଯାନ ସମୟରେ ଆହୁରି ୧୭୬ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି ଏବଂ ୨୧ଟି ‘ଆଇଇଡି’ ବା ‘ଲ୍ୟାଣ୍ଡ୍ ମାଇନ୍’ ଅକାମି କରାଯାଇଛି ବୋଲି ନିରାପତ୍ତା ବଳ କହିଛି।
ଟୁଇଟ୍ କରି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଲଗମାନ, ନାନଗରହର, ନୁରିସ୍ତାନ, କୁଆଁର, ଗଜନି, ପକ୍ତିଆ, କାନ୍ଦାହାର, ହେରାତ୍, ବାଲ୍କ, ଜୌୱାଜ୍ଜାନ, ହେଲମାନ୍ଦ, କୁନ୍ଦୁଜ୍ ଏବଂ କାପିସା ପ୍ରଦେଶରେ ସୁରକ୍ଷାବାହିନୀର ଯବାନମାନେ ସର୍ଚ୍ଚଅପରେଶନ କରିଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ‘ଏଏନ୍ଡିଏସ୍ଏଫ୍’ ଅଭିଯାନ ଫଳରେ ୨୬୨ଜଣ ତାଲିବାନ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ୧୭୬ ଆହତ ହୋଇଛନ୍ତି। ଆଫଗାନିସ୍ତାନ ମନ୍ତ୍ରାଳୟ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି ।
ତାଲିବାନମାନେ ବିଭିନ୍ନ ସହର ଆକ୍ରମଣ କରିବା ଆଶଙ୍କା ଥିବାରୁ ଶନିବାର ଦିନ ସରକାର ପ୍ରାୟ ସମଗ୍ର ଦେଶରେ କର୍ଫ୍ୟୁ ଜାରି କରିଛନ୍ତି। କାବୁଲ ଏବଂ ଅନ୍ୟ ଦୁଇଟି ପ୍ରଦେଶ ବ୍ୟତୀତ ଅନ୍ୟତ୍ର ରାତି ୧୦ଟାରୁ ଭୋର୍ ୪ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଚଳପ୍ରଚଳ ନିଷେଧ କରାଯାଇଛି।
Powered by Froala Editor