ତିରୁପତି ମନ୍ଦିରରେ ଲଡୁ ପରେ ଶାଲ୍ ଦୁର୍ନୀତି : ରେଶମ କହି ପଲିଷ୍ଟର ଦେଉଥିଲେ
ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି। ଟେଣ୍ଡରରେ ଶୁଦ୍ଧ ମଲବେରୀ ରେଶମ ଶାଲ୍ ଯୋଗାଇବା ପରିବର୍ତ୍ତେ ଏକ ଠିକାଦାର ୧୦୦% ପଲିଷ୍ଟର ଶାଲ୍ ଯୋଗାଇ ୫୪ କୋଟି ଟଙ୍କାର ହେରଫେର କରିଥିବା ଅଭିଯୋଗ ହୋଇଛି। ଲଡୁର ମିଶ୍ରଣର ତଦନ୍ତ ଚାଲିଥିବା ବେଳେ ଶାଲ୍ ଦୁର୍ନୀତି ସାମ୍ନାକୁ ଆସିଛି।
ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି ଯେ ମନ୍ଦିର ପ୍ରଶାସନ (TTD) ଏପରି କପଡା କିଣିଛି ଯାହାର ମୂଲ୍ୟ ପ୍ରକୃତ ମୂଲ୍ୟଠାରୁ ବହୁ ଗୁଣା ଅଧିକ ଥିଲା। ଦଳ ଜାଣିପାରିଲା ଯେ ବଜାରରେ ୧୦୦ ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ କପଡାକୁ ୧,୪୦୦ ଟଙ୍କାରେ TTDକୁ ଯୋଗାଣ କରାଯାଇଥିବା ଦର୍ଶାଯାଇଥିଲା। ମୂଲ୍ୟ ଏବଂ ଗୁଣବତ୍ତା ଉଭୟରେ ଅସମାନତା ଜଣାଇଥିଲା। ଯାହା ଫଳରେ ଅଧିକ ତଦନ୍ତ ଆରମ୍ଭ ହୋଇଥିଲା।
ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ୩୫୦ ଟଙ୍କା ମୂଲ୍ୟର ପଲିଷ୍ଟର ଶାଲ୍ ପାଇଁ ଠିକାଦାର ୧୩୦୦ ଟଙ୍କା ବିଲ୍ କରିଥିଲେ। ଫଳରେ ମନ୍ଦିର ଟ୍ରଷ୍ଟକୁ ୧୦ ବର୍ଷରେ ୫୪ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ସେଣ୍ଟ୍ରାଲ୍ ସିଲ୍କ ବୋର୍ଡ (CSB) ଅଧୀନରେ ଥିବା ଲ୍ୟାବ୍ ସମେତ ଦୁଇଟି ଲାବୋରେଟୋରୀକୁ ପଠାଯାଇଥିବା ଶାଲ୍ ନମୁନାର ବୈଜ୍ଞାନିକ ପରୀକ୍ଷଣରୁ ଏହା ପଲିଷ୍ଟର ବୋଲି ନିଶ୍ଚିତ ହୋଇଛି। ଏଥିରେ ପ୍ରକୃତ ରେଶମର ପ୍ରାମାଣିକତା ପାଇଁ ଆବଶ୍ୟକୀୟ ‘ସିଲ୍କ ହୋଲୋଗ୍ରାମ୍’ ମଧ୍ୟ ନଥିଲା।
TTDରେ ପୂର୍ବରୁ ଲଡୁ ପ୍ରସାଦରେ ବ୍ୟବହୃତ ଘିଅରେ ଭେଜାଲ୍ ଏବଂ ହୁଣ୍ଡି ଗଣନା ସମୟରେ ଚୋରି (ପାରକାମଣି ସ୍କାମ୍) ଭଳି ଅନେକ ବିବାଦ ଦେଖାଦେଇଥିବା ବେଳେ ଏହି ଶାଲ୍ ଦୁର୍ନୀତି ବିଶ୍ୱର ସବୁଠାରୁ ଧନୀ ଧାର୍ମିକ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ TTDର ପରିଚାଳନା ଏବଂ ଆଭ୍ୟନ୍ତରୀଣ ତଦାରଖ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Powered by Froala Editor