୧୮ ରୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
ବାରିପଦା: ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଆଗାମୀ ୧୮ ତାରିଖ ଠାରୁ ଖୋଲିବ। ସାଧାରଣତଃ ପ୍ରତିବର୍ଷ ନଭେମ୍ବର ଏକ ତାରିଖଠାରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥାଏ। ହେଲେ ଏଥର ୧୦ ଦିନ ପୂର୍ବରୁ ଅର୍ଥାତ୍ ଆଗାମୀ ୧୮ ତାରିଖଠାରୁ ପର୍ଯ୍ୟଟକଙ୍କ ସକାଶେ ଖୋଲାଯିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କାର୍ଯ୍ୟାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ଜୁଲାଇ ୧ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା।
ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଅନୁଯାୟୀ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ। ଦୈନିକ ସର୍ବାଧିକ ପ୍ରଥମେ ପହଞ୍ଚିଥିବା ୨୫ଟି ଚାରିଚକିଆ ଯାନ ପିଠାବଟା ତନଖି ଫାଟକ ମଧ୍ୟ ଦେଇ ଏବଂ ପ୍ରଥମ ୩୫ଟି ଚାରିଚକିଆ ଯାନ ଯଶିପୁର କାଳିଆଣି ତନଖି ଫାଟକ ମଧ୍ୟ ଦେଇ ପ୍ରବେଶ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରଖାଯାଇଛି। ଶିମିଳିପାଳ ମଧ୍ୟକୁ ଯିବାକୁ ଥିବା ସମସ୍ତ ଚାରିଚକିଆ ଯାନଗୁଡ଼ିକ ୧୮୦ ଏମଏମ କିମ୍ବା ଅଧିକ ଗ୍ରାଉଣ୍ଡ କ୍ଲିୟରେନ୍ସ ରହିବାର ଆବଶ୍ୟକତା ରହିଥିବା ସହିତ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ପ୍ରବେଶ ସମୟରେ ପ୍ରତ୍ୟେକ ଯାନ ସହିତ ଜଣେ ଗାଇଡ ନେବା ବାଧ୍ୟତାମୂଳକ ରହିଛି। ଏହି ଫାଟକ ଦେଇ ଭାରୀଯାନ ପ୍ରବେଶକୁ ନିଷେଧ କରାଯାଇଛି। ପର୍ଯ୍ୟଟକମାନେ ପୂର୍ବାହ୍ନ ୮ଟାରୁ ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ପିଠାବଟା ତନଖି ଫାଟକ ଏବଂ ସକାଳ ୫ଟାଠାରୁ ସକାଳ ୯ଟା ପର୍ଯ୍ୟନ୍ତ ଯଶିପୁର ଦେଇ ନିଜସ୍ୱ ଯାନରେ ପ୍ରବେଶ କରିପାରିବେ। ପର୍ଯ୍ୟଟକଙ୍କୁ ସେହିଦିନ ସନ୍ଧ୍ୟା ୬ଟା ପୂର୍ବରୁ ପ୍ରସ୍ଥାନ ଫାଟକ ଛାଡ଼ିବାକୁ ପଡ଼ିବ।
ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନ ମଧ୍ୟକୁ ପ୍ରବେଶ ନିମନ୍ତେ ପ୍ରବେଶ ଅନୁମତିପତ୍ର କେବଳ ୱେବସାଇଟ ମାଧ୍ୟମରେ ପାଇପାରିବେ। ପ୍ରବେଶ ସମୟରେ ସରକାରୀ ପରିଚୟପତ୍ର ଦେଖାଇ ଶିମିଳିପାଳ ବନ୍ୟପ୍ରାଣୀ ଉଦ୍ୟାନକୁ ପ୍ରବେଶ କରିପାରିବେ।
Powered by Froala Editor