ବାଣ ଫୁଟାଇବା ସମୟକୁ ନେଇ ଗାଇଡଲାଇନ୍ ଜାରି, ଜାଣନ୍ତୁ କଣ ରହିଛି ନିୟମ
ଭୁବନେଶ୍ୱର:ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି ।ଏହାପୂର୍ବରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି। ଚଳିତ ବର୍ଷ କେବଳ ୭ରୁ ୯ଟା ଭିତରେ ସୀମିତ ରହିବ ବାଣଫୁଟା। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଖାଲି ୨ ଘଣ୍ଟାର ସମୟ ନୁହେଁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ମଧ୍ୟ ବାରଣ କରାଯାଇଛି। ବାଣର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ। ବଗିଚା, ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବାରଣ କରାଯାଇଛି । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇପାରିବେ ନାହିଁ। ଯେଉଁମାନେ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
Powered by Froala Editor