ଏସଆଇ ନିଯୁକ୍ତି ଦୁର୍ନୀତି ମାମଲା: ଆଉ ଜଣେ ଦଲାଲ ଗିରଫ
ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଜଣେ ଦଲାଲକୁ ରବିବାର ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ଜଣକ ହେଉଛି ବାଲେଶ୍ଵର ଜିଲା ସିଂଲା ଥାନା ଅନ୍ତର୍ଗତ ନବରା ଗାଁର ଅରବିନ୍ଦ ଦାସ(୪୩)। ଦୀର୍ଘ ସମୟ ଧରି ପଚରାଉଚରା କରାଯିବା ପରେ ଏହି ମାମଲାରେ ତା’ର ସମ୍ପୃକ୍ତି ଥିବା ଜଣାପଡ଼ିବାରୁ କ୍ରାଇମବ୍ରାଞ୍ଚ ତା’କୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଅରବିନ୍ଦକୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ଅଧିକ ତଦନ୍ତ ପାଇଁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହି ମାମଲାରେ ପୂର୍ବରୁ ପୁଲିସ ୧୧୮ ଜଣଙ୍କୁ ଗିରଫ କରିସାରିଛି। ସେମାନଙ୍କ ମଧ୍ୟରେ ୧୧୪ ଆଶାୟୀ ଏବଂ ୪ ଦଲାଲ ରହିଛନ୍ତି। ତେବେ ଏହି ମାମଲାରେ ପଞ୍ଚସଫ୍ଟ କଂପାନୀ ମାଲିକ ଶଙ୍କର ପୃଷ୍ଟି ମାଷ୍ଟର ମାଇଣ୍ଡ ଥିବା ନେଇ ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ।
ତେବେ ପୋଲିସ ଏସ୍ଆଇ ପରୀକ୍ଷା ପରିଚାଳନା ଲାଗି କୋଲକାତାର ଆଇଟିଆଇ ସଂସ୍ଥାକୁ ଟେଣ୍ଡର ଦେଇଥିଲା OPRB । ପରେ ଏହି ସଂସ୍ଥା ହାଇଦ୍ରାବାଦର ସିଲିକନ୍ ଟେକ୍ଲାବ୍ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ନ୍ୟସ୍ତ କରିଥିଲା । ସିଲିକନ୍ ଏହାକୁ ସବ୍ଲେଟ୍ରେ ବ୍ରହ୍ମପୁରର ପଞ୍ଚସଫ୍ଟ ପ୍ରାଇଭେଟ୍ ଲିମିଟେଡ୍ ସଂସ୍ଥାକୁ ଦାୟିତ୍ବ ଦେଇଥିଲା । ପଞ୍ଚସଫ୍ଟକୁ ଦାୟିତ୍ବ ମିଳିବା ପରେ ସଂସ୍ଥାର ନିର୍ଦ୍ଦେଶକ ଶଙ୍କର ପୃଷ୍ଟି ଘୋଟାଲା ପାଇଁ ଯୋଜନା କରିଥିଲେ । ଖଣ୍ଡଗିରି ଅଞ୍ଚଳର ମୁନା ମହାନ୍ତିଙ୍କୁ ରାକେଟ୍ରେ ସାମିଲ୍ କରି ଆଶାୟୀଙ୍କୁ ଚାକିରି ଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଏହି ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଶଙ୍କର ପୃଷ୍ଟି ଫେରାର ରହିଛି। ତା’କୁ ଧରିବାକୁ କ୍ରାଇମବ୍ରାଞ୍ଚ ଚଢ଼ାଉ ଜାରି ରଖିଛି।
Powered by Froala Editor