ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କଲେ ରାଜ୍ୟପାଳ

କୋରାପୁଟ: ଚାରିଦିନିଆ ଅବିଭକ୍ତ କୋରାପୁଟ ଜିଲା ଗସ୍ତର ଶେଷ ଦିବସରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କୋରାପୁଟ ସଦଭାବନା ସଭାଗୃହଠାରେ କୋରାପୁଟ ଓ ମାଲକାନଗିରି ଜିଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିଛନ୍ତି। ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଜଙ୍ଗଲ ଜମି ପଟ୍ଟା ଚଳିତ ବର୍ଷ ଶେଷସୁଦ୍ଧା ପ୍ରଦାନ ସହ ଜଳଜୀବନ ମିଶନ କାର୍ଯ୍ୟକ୍ରମ ୨୦୨୬ ମସିହା ଡିସେମ୍ବର ଶେଷ ସୁଦ୍ଧା ସମାପ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଭାରତମାଳା ରାସ୍ତା ନିର୍ମାଣ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଗଲେ କୋରାପୁଟ ଓ ବିଶାଖାପାଟଣା ମଧ୍ୟରେ ଦୂରତା ହ୍ରାସ ପାଇବ ଏବଂ ଲୋକେ ସୁବିଧାରେ ଯିବାଆସିବା କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। କୋରାପୁଟ ଜିଲାରେ ଶିଳ୍ପର ବିକାଶ ପାଇଁ ଅନେକ ସୁବିଧା ରହିଛି। ଯାହାକୁ ଜିଲାପାଳ ଆଗେଇ ନେବେ ବୋଲି ସେ କହିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଜିଲାପାଳ, ଏସପି ଏବଂ ବିଭାଗୀୟ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ।
ସମୀକ୍ଷା କାଳରେ ରାଜ୍ୟପାଳଙ୍କ କମିସନର ତଥା ଶାସନ ସଚିବ ରୁପା ରୋଶନ ସାହୁ, କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, କୋଟପାଡ଼ ବିଧାୟକ ରୁପୁ ଭତ୍ରା, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଡା. କେ.ବି.ସିଂ, କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ, ମାଲକାନଗିରି ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ, କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଙ୍କ ସହ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Powered by Froala Editor