ସୁଭଦ୍ରା ଯୋଜନାରେ ୩୬ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ସାମିଲ
ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ମୃତ ଦର୍ଶାଯାଇ ଅନେକ ହିତାଧିକାରୀଙ୍କ ନାମ କାଟି ଦିଆଯାଇଥିଲା। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଗତ ରାଖି ପୂର୍ଣ୍ଣିମାରେ ରାଜ୍ୟର ମହିଳାମାନଙ୍କୁ ତୃତୀୟ କିସ୍ତି ସୁଭଦ୍ରା ଯୋଜନା ଅର୍ଥ ପ୍ରଦାନ କରାଯାଇଥିବା ବେଳେ କୋରେଇ ବ୍ଲକରେ ୩୬ଜଣଙ୍କୁ ମୃତ ଦର୍ଶାଇ ଏହି ଅର୍ଥ ମିଳିନଥିଲା। ଅଭିଯୋଗ ପରେ ପୁଣି ୩୬ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ସାମିଲ କରାଯାଇଛି। ବ୍ଲକ ମହିଳା ଓ ଶିଶୁ ସମନ୍ବିତ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଏକାଥରକେ ସେମାନଙ୍କୁ ଦୁଇଟି କିସ୍ତି ଅର୍ଥ ମିଳିବ। ପ୍ରକାଶ ଯେ କୋରେଇ ବ୍ଲକରେ ୩୪ ହଜାର ୭୮୩ଜଣ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଟଙ୍କା ମିଳିଛି। ବିଭିନ୍ନ କାରଣରୁ ୧୭୨୦ ମହିଳାଙ୍କ ଆବେଦନ ପତ୍ର ଯାଞ୍ଚ ପରେ କଟିଯାଇଥିବା ବେଳେ ୨୧ଜଣ ମହିଳା ନିଜେ ଯୋଜନାରୁ ଓହରି ଯାଇଛନ୍ତି। ଅଗଷ୍ଟ ୯ତାରିଖ ଅର୍ଥାତ ରାଖି ପୂର୍ଣ୍ଣିମାରେ ପୂର୍ବରୁ ଦୁଇଟି କିସ୍ତି ପାଇଥିବା ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ତୃତୀୟ କିସ୍ତି ଟଙ୍କା ଆସିଥିବା ବେଳେ ୪୧ଜଣଙ୍କର ଟଙ୍କା ଆସି ନଥିଲା। ସେମାନେ କାହିଁକି ଟଙ୍କା ଆସିଲା ନାହିଁ ଯାଞ୍ଚ କରିବା ପରେ ସେମାନଙ୍କୁ ମୃତ ଦର୍ଶାଯାଇଥିବା ଜାଣିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରୁ ୩୨ଜଣ କୋରେଇ ବ୍ଲକ ଓ ୯ଜଣ ବ୍ୟାସନଗର ପୌରାଞ୍ଚଳର ବୋଲି ଜଣାପଡ଼ିଥିଲା।ସେମାନେ ଜୀବିତ ଥିବାର ପ୍ରମାଣ ସିଡିପିଓ ଶାନ୍ତିଲତା ବେସ୍ରାଙ୍କୁ ପ୍ରଦାନ କରିଥିଲେ।
Powered by Froala Editor