‘ହେରା ଫେରି ୩’ ଛାଡ଼ିଲେ ପରେଶ,୨୫ କୋଟିର ମାମଲା ଦାୟର କଲେ ଅକ୍ଷୟ

'ହେରା ଫେରି ୩' ଫିଲ୍ମରୁ ଏବେ ପରେଶ ରାୱଲ ଓହରି ଯାଇଛନ୍ତି। ସେ ଏହାର କିଛି ସଟ୍ ମଧ୍ୟ ସୁଟ୍ କରିଥିଲେ, କିନ୍ତୁ ନିର୍ମାତାଙ୍କୁ କୌଣସି ଅପଡେଟ୍ ନଦେଇ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଥିଲେ ଯେ, ସେ ଆଉ ଫିଲ୍ମର ଅଂଶ ନୁହଁନ୍ତି। ଏହା ପରେ ଖବର ଆସିଥିଲା ଯେ, ଅକ୍ଷୟ କୁମାର ତାଙ୍କ ବିରୋଧରେ ୨୫କୋଟି ଟଙ୍କାର ମାମଲା ଦାୟର କରିଛନ୍ତି।
ପରେଶ ହଠାତ୍ ଫିଲ୍ମରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରି ଫିଲ୍ମ ନିର୍ମାତାଙ୍କ ସହ କରିଥିବା କଣ୍ଟ୍ରାକ୍ଟକୁ ଉଲ୍ଲଂଘନ କରିଛନ୍ତି ଏବଂ ଫିଲ୍ମକୁ କ୍ଷତି ପହଞ୍ଚାଇଛନ୍ତି। ପରେଶଙ୍କ ଉକ୍ତ ଆଚରଣ ଅଣପେସାଦାର ହୋଇଥିବା ଦର୍ଶାଇ ଅକ୍ଷୟ ତାଙ୍କୁ ୨୫ କୋଟି ଟଙ୍କାର କ୍ଷତିପୂରଣ ନୋଟିସ୍ ପଠାଇଛନ୍ତି।
ବୁଧବାର ଏନେଇ ‘ହେରାଫେରି’ ସିରିଜ୍ର ଅନ୍ୟତମ ଷ୍ଟାର୍ ଅଭିନେତା ସୁନୀଲ ଶେଟ୍ଟିଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି। ‘ହେରାଫେରି ୩’ରେ ସାମିଲ ନହେବା ନେଇ ପରେଶଙ୍କ ନିଷ୍ପତ୍ତି ତାଙ୍କୁ ବ୍ୟକ୍ତିଗତ ଭାବେ ଝଟକା ଦେଇଛି ବୋଲି ସୁନୀଲ କହିଛନ୍ତି। ସେ କହିଛନ୍ତି, ପରେଶଙ୍କ ବିନା ‘ହେରାଫେରି ୩’ର କଳ୍ପନା ଅସମ୍ଭବ। ତାଙ୍କ କିମ୍ବା ଅକ୍ଷୟଙ୍କ ବିନା ଏହି ଫିଲ୍ମର ନିର୍ମାଣ ସମ୍ଭବ, କିନ୍ତୁ ପରେଶଙ୍କ ବିନା ଏହା ହୋଇପାରିବ ନାହିଁ। ପରେଶଙ୍କ ବିନା ‘ହେରାଫେରି ୩’କୁ ଦର୍ଶକ ପସନ୍ଦ କରିବେ ନାହିଁ।
ଅକ୍ଷୟଙ୍କ ପାଖରେ ଫିଲ୍ମର ରାଇଟ୍ସ ଥିବା ବେଳେ ପରେଶ ହଠାତ୍ ଫିଲ୍ମରୁ ବାହାରିଯିବାରୁ ତାଙ୍କୁ ବହୁତ କ୍ଷତି ସହିବାକୁ ପଡ଼ିଛି। ଏହି କାରଣରୁ ସେ ପରେଶଙ୍କ ବିରୋଧରେ ୨୫କୋଟି ଟଙ୍କାର ମାମଲା ଦାୟର କରିଛନ୍ତି।
ଅନ୍ୟପକ୍ଷରେ ଏ ଫିଲ୍ମ ଛାଡ଼ିବା ପଛରେ ଟଙ୍କା ନୁହେଁ ବୋଲି କୁହାଯାଇଛି । ଫିଲ୍ମରେ ବାବୁରାଓ ଚରିତ୍ରରେ ପରେଶ ବିରକ୍ତ ହୋଇଯାଇଛନ୍ତି । ତାଙ୍କୁ ଆଉ ଏହି ଚରିତ୍ର କରିବାକୁ ଭଲ ଲାଗୁନି । ଏଥିପାଇଁ ସେ ଫିଲ୍ମ ଛାଡ଼ିଛନ୍ତି । ଏ କଥା ସେ ଏକ ଇଣ୍ଟରଭ୍ୟୁରେ ପ୍ରକାଶ କରିଥିଲେ । ଏହାର ଏକ କ୍ଲିପ୍ ଏବେ ଭାଇରାଲ ହେଉଛି ।
Powered by Froala Editor