ବଦଳିଲା ‘ରାଣ୍ଡୀ ପୁଅ ଅନନ୍ତା’ ଫିଲ୍ମ ଟାଇଟଲ

ଓଡ଼ିଆ ଆଧୁନିକ ସାହିତ୍ୟର ଜନକ ଫକୀରମୋହନ ସେନାପତିଙ୍କ ପ୍ରସିଦ୍ଧ କାହାଣୀ ‘ରାଣ୍ଡୀ ପୁଅ ଅନନ୍ତା’କୁ ନେଇ ଫିଲ୍ମ ନିର୍ମାଣ ଚାଲିଛି । ହେଲେ ଏହାକୁ ବହୁ ଲୋକ ସୋସିଆଲ ମିଡିଆରେ ବିରୋଧ କରିବାକୁ ଏବେ ନାଁ ପରିବର୍ତ୍ତନ କରାଯାଇଛି । ଫିଲ୍ମ ଟାଇଟଲରୁ ରାଣ୍ଡି ପୁଅ କଟାଯାଇ ଏବେ କେବଳ ‘ଅନନ୍ତା’ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଭାରତୀୟ ସିନେମାର ପ୍ରସିଦ୍ଧ ଚିତ୍ରନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ‘ରାଣ୍ଡୀପୁଅ ଅନନ୍ତା’ର କାହାଣୀ ଆଧାରରେ ଫିଲ୍ମ ନିର୍ମାଣ କରିବା ପରେ ଏହାର ନାମକରଣକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲୁରହିଛି। ଏହି ଶବ୍ଦଟି ନାରୀଜାତି ପ୍ରତି ଅସମ୍ମାନ ସୂଚକ ହେଉଛି ବୋଲି ସୋସିଆଲ୍ ମିଡିଆରେ ଅନେକ ଅଭିଯୋଗ ଆଣିଥିଲେ। ଏହିଭଳି ପରିସ୍ଥିତିରେ ନିଜେ ଫିଲ୍ମର ନିର୍ଦ୍ଦେଶକ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ଯେ, କୌଣସି ପରିସ୍ଥିତିରେ ମଧ୍ୟ ନାରୀକୁ ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ।
ତତ୍କାଳୀନ ସମାଜ ବ୍ୟବସ୍ଥାକୁ ନେଇ କଥାସମ୍ରାଟ ଫକୀର ମୋହନ ସେନାପତି ଏହି କାହାଣୀଟି ଲେଖିଥିଲେ। ସେତେବେଳର ସମାଜରେ ଚଳୁଥିବା ଶବ୍ଦକୁ ବ୍ୟବହାର କରି ସେ କେବଳ ରାଣ୍ଡୀପୁଅ ଅନନ୍ତା ନୁହେଁ, ଆହୁରି ଅନେକ ଗଳ୍ପ ଉପନ୍ୟାସ ରଚନା କରିଛନ୍ତ। କିନ୍ତୁ ମୌଳିକ କାହାଣୀ ଲିଖନର ଅନେକ ବର୍ଷ ପରେ ଯେତେବେଳେ ଆମେ ‘ରାଣ୍ଡୀପୁଅ ଅନନ୍ତା’ ଗପକୁ ନେଇ ଫିଲ୍ମ କରିବାକୁ କାମ ଆରମ୍ଭ କଲୁ, ସେତେବେଳେ ଏହାର ନାମକରଣକୁ ନେଇ ଆମେ ସାଂପ୍ରତିକ ସମାଜର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କୁ ଭେଟି ଆଲୋଚନା କରିଥିଲୁ।
ଶେଷରେ ସେମାନଙ୍କ ମତକୁ ଆଧାର କରି, କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ‘ରାଣ୍ଡୀପୁଅ ଅନନ୍ତା’ କାହାଣୀ ଆଧାରରେ ନିର୍ମିତ ଏହି ଫିଲ୍ମର ନାମ କେବଳ ‘ଅନନ୍ତା’ ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
Powered by Froala Editor