ସତ ମାନୁନଥିଲା ପାକିସ୍ତାନ, ସାଟେଲାଇଟ୍ ଦେଖାଇଲା ଧ୍ୱଂସ ଏୟାରବେସ୍ର ଚିତ୍ର
‘ଅପରେସନ ସିନ୍ଦୂର’ ଜରିଆରେ ଭାରତୀୟ ସେନା ପାକିସ୍ତାନୀ ଏୟାରବେସ୍ରେ କରିଥିବା ଆକ୍ରମଣର ନୂଆ ସାଟେଲାଇଟ୍ ଚିତ୍ର ପ୍ରକାଶ ପାଇଛି। ଅପରେସନ ସିନ୍ଦୂର ପାକିସ୍ତାନକୁ ଧ୍ବଂସ କେତେ ପରିମାଣରେ କରିଛି ? ତାର ଚିତ୍ର ଧିରେ ଧିରେ ସାମ୍ନାକୁ ଆସୁଛି । ଭାରତର ଜବାବୀ ଆକ୍ରମଣରେ ପାକିସ୍ତାନ ଅନେକ କ୍ଷତି ସହିଥିବା କୁହାଯାଉଥିବା ବେଳେ ଯଦିଓ ଏହାକୁ ମାନୁନି ପାକିସ୍ତାନ କିନ୍ତୁ ୟାରି ଭିତରେ ପାକିସ୍ତାନର ଧ୍ବଂସର ସତ ଦେଖାଇଛି ସାଟେଲାଇଟ୍ ।
ପାକ୍ ସେନା ମିଶାଇଲ୍ ଏବଂ ଡ୍ରୋନ୍ ସହାୟତାରେ ଭାରତର ପଶ୍ଚିମ ସୀମାରେ ଥିବା ଜନବସତି ଅଞ୍ଚଳ ଏବଂ ସାମରିକ ଭିତ୍ତିଭୂମିକୁ ଟାର୍ଗେଟ କରିବାକୁ ଉଦ୍ୟମ କଲାବେଳେ ଭାରତୀୟ ସଶସ୍ତ୍ର ବଳ ସେଗୁଡ଼ିକୁ ପ୍ରତିହତ କରିବା ସହ ଏହାର ୮ଟି ଏୟାରବେସ୍କୁ ଧ୍ୱଂସ କରିଦେଇଥିଲା। ଆମେରିକାର ଏରୋସ୍ପେସ୍ କମ୍ପାନୀ ମାକ୍ସର ଟେକ୍ନୋଲୋଜି ପକ୍ଷରୁ ଜାରି ହାଇରିଜଲ୍ୟୁଶନ ଚିତ୍ରରେ ଏହା ସ୍ପଷ୍ଟ ହୋଇଛି।
ଭାରତୀୟ ସେନା ପାକିସ୍ତାନର ରାଓଲପିଣ୍ଡି ଅନ୍ତର୍ଗତ ନୁର୍ ଖାନ୍ ସାମରିକ ଘାଟି, ସିନ୍ଧ୍ ପ୍ରଦେଶର ସୁକ୍କୁର ଏବଂ ପଞ୍ଜାବ ପ୍ରଦେଶର ରହିମ୍ ୟାର୍ ଖାନ୍ ଘାଟିକୁ ଟାର୍ଗେଟ କରି ମିଶାଇଲ୍ ଆକ୍ରମଣ କରିଥିଲା। ଫଟୋରେ ନୁର୍ ଖାନ୍ ଏୟାରବେସ୍ର ଏକ ବିଲ୍ଡିଂ ଧ୍ୱଂସ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ସୁକ୍କୁର ଏୟାରବେସ୍ର ବିଲ୍ଡିଂ ସମ୍ପୂର୍ଣ୍ଣ ମାଟିରେ ମିଶିଯାଇଛି। ସରଗୋଧାସ୍ଥିତ ସୁଶାଫ ଏୟାରବେସ୍, ଉତ୍ତର ସିନ୍ଧ୍ର ଶାହବାଜ ଜାକୋବାବାଦ ବେସ୍ ଏବଂ ଉତ୍ତର ଥାଟ୍ଟାର ଭୋଲାରି ଏୟାରବେସ୍ ଧ୍ୱଂସ ହୋଇଥିବା ସାଟେଲାଇଟ୍ ଚିତ୍ରରୁ ଦେଖିବାକୁ ମିଳିଛି। ଜାକୋବାବାଦ ଏୟାରବେସ୍ର ହ୍ୟାଙ୍ଗ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ମୁଶାଫ ଏୟାରବେସ୍ର ରନ୍ଓ୍ବେ କ୍ଷତିଗ୍ରସ୍ତ ହୋଇଛି। ଭାରତୀୟ ସେନା ପାକିସ୍ତାନୀ ସାମରିକ ଟାର୍ଗେଟ ଉପରେ ଆକ୍ରମଣ କରିଥିବା ଗତ ଶନିବାର ଓ୍ବିଙ୍ଗ୍ କମାଣ୍ଡର ବ୍ୟୋମିକା ସିଂ ସ୍ପଷ୍ଟ କରିଥିଲେ।
ସେପଟେ ଗତକାଲି କ୍ଷୟକ୍ଷତି ନେଇ ମାନିଥିଲା ପାକିସ୍ତାନ। ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନକୁ ଧ୍ବଂସ କରିଥିବା ନେଇ ବାରମ୍ବାର ଦାବି କରୁଥିଲେ ବି ଏକଥାକୁ ମାନିବାକୁ ନାରାଜ ଥିଲା ପାକିସ୍ତାନ ।
Powered by Froala Editor