ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ କ୍ଲିନଚିଟ୍ : କ୍ଲୋଜର ରିପୋର୍ଟ ଦାଖଲ କଲା ସିବିଆଇ

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡ଼ିତ ୨ଟି ମାମଲାକୁ ଶନିବାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନଚିଟ୍ ଦେଇଛି ତଦନ୍ତକାରୀ ସଂସ୍ଥା। ସୁଶାନ୍ତଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ସିବିଆଇ କ୍ଲୋଜର ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ମିଳିଛି। ସୁଶାନ୍ତଙ୍କ ବାପା ରିୟାଙ୍କ ଉପରେ ଲଗାଇଥିବା ଆରୋପ ଏବଂ ରିୟାଙ୍କ ପକ୍ଷରୁ ସୁଶାନ୍ତଙ୍କ ପରିବାର ଉପରେ ହୋଇଥିବା ଅଭିଯୋଗ, ଦୁଇଟି ଯାକ ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରିଛି ସିବିଆଇ।
୨୦୨୦ ଜୁନ୍ ୧୪ରେ ସୁଶାନ୍ତ ନିଜ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ଲାଟ୍ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସେତେବେଳେ ସୁଶାନ୍ତଙ୍କ ଆତ୍ମହତ୍ୟାକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେ.କେ. ସିଂ ପାଟନାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସ୍କାଇଥିବା ସହ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ନେଇ ସେ କହିଥିଲେ।
ତେବେ ଏହାର ଜବାବରେ ରିୟା ମଧ୍ୟ ମୁମ୍ବାଇରେ ଏକ କାଉଣ୍ଟର ଅଭିଯୋଗ କରିଥିଲେ, ଯେଉଁଥିରେ ସେ ସୁଶାନ୍ତଙ୍କ ଭଉଣୀଙ୍କ ଉପରେ ନକଲି ଡାକ୍ତରୀ ପ୍ରେସ୍କ୍ରିପ୍ସନ୍ ନେଇଥିବାର ଅଭିଯୋଗ କରିଥିଲେ।
୪ ବର୍ଷ ୪ ମାସର ତଦନ୍ତ ପରେ ସିବିଆଇକୁ ଏମିତି କିଛି ପ୍ରମାଣ ମିଳିନି ଯେଉଁଥିରେ ଏହା ସ୍ପଷ୍ଟ କରାଯାଇ ପାରିବ ଯେ, ଆତ୍ମହତ୍ୟା ପାଇଁ କେହି ସୁଶାନ୍ତଙ୍କୁ ବାଧ୍ୟ କରିଥିଲେ। ସିବିଆଇର କ୍ଲୋଜର ରିପୋର୍ଟ ଦାଖଲ ପରେ ସୁଶାନ୍ତଙ୍କ ପରିବାର ପକ୍ଷରୁ କୋର୍ଟରେ ପ୍ରୋଟେଷ୍ଟ ପିଟିସନ୍ ଦାଖଲ କରାଯାଇପାରିବ।
Powered by Froala Editor