ତାମିଲନାଡୁରେ ହିନ୍ଦୀ ଭାଷା ବିବାଦ : ଟଙ୍କାର ପ୍ରତୀକ ବଦଳରେ ତାମିଲ ପ୍ରତୀକ ரூ ବ୍ୟବହାର

ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ସରକାରଙ୍କର ଜାତୀୟ ଶିକ୍ଷା ନୀତି, ସୀମା ନିର୍ଦ୍ଧାରଣ ଏବଂ ତିନି ଭାଷା ସୂତ୍ର ଭଳି ଅନେକ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ସହିତ ନିରନ୍ତର ବିବାଦ ଲାଗିରହିଛି । ଡିଏମକେ ଅଭିଯୋଗ କରିଛି ଯେ କେନ୍ଦ୍ର ସରକାର ତାମିଲନାଡୁ ଉପରେ ହିନ୍ଦୀ ଥୋପିବାକୁ ଚେଷ୍ଟା କରୁଛନ୍ତି।
ଏପରିକି ରାଜ୍ୟ ବଜେଟରେ ପଡିଛି ଏହାର ପ୍ରତିଫଳନ। ସାରା ଦେଶରେ ପ୍ରଚଳିତ ଟଙ୍କାର ସାଙ୍କେତିକ ଚିହ୍ନକୁ ହଟାଇ ଦେଇଛନ୍ତି ଷ୍ଟାଲିନ। ପୂର୍ବରୁ ବଜେଟରେ ହିନ୍ଦୀ ଅକ୍ଷରର ଟଙ୍କା ସିମ୍ବଲକୁ ହଟାଇ ତାମିଲ `ରୁ’ କରିଛନ୍ତି। ୨୦୨୪ ବଜେଟରେ ସେ ଟଙ୍କାର ହିନ୍ଦୀ ସିମ୍ବଲକୁ ରଖିଥିବାବେଳେ ୨୦୨୫-୨୬ ବଜେଟରେ ତାମିଲ ଶବ୍ଦ ରୁ ଲେଖିଛନ୍ତି। ତାମିଲ ଭାଷାର ବ୍ୟାପକ ବ୍ୟବହାର କରିବା ଲାଗି ଷ୍ଟାଲିନ ଏହି ପଦକ୍ଷେପ ନେଇଛନ୍ତି।
ଟଙ୍କାର ସିମ୍ବଲକୁ ଆଇଆଇଟି ଗୁଆହାଟୀର ଜଣେ ପ୍ରଫେସର ଉଦୟ କୁମାର ପ୍ରସ୍ତୁତ କରିଥିଲେ। ବଡ଼କଥା ହେଉଛି ସେ ଡିଏମକେର ଜଣେ ନେତାଙ୍କ ପୁଅ ଥିଲେ। କୌଣସି ଏକ ରାଜ୍ୟ ଟଙ୍କାର ଜାତୀୟ ସିମ୍ବଲକୁ ରଦ୍ଦ କରିବାରେ ତାମିଲନାଡୁ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି।
ଏହି ବଜେଟ୍ ସମ୍ପର୍କରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ଗୁରୁବାର ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ, ଦେଖାଯାଉଛି ଯେ ବଜେଟ ଲୋଗୋରେ ଟଙ୍କା ₹ ର ସରକାରୀ ପ୍ରତୀକ ବଦଳରେ ତାମିଲ ପ୍ରତୀକ ரூ ବ୍ୟବହାର କରାଯାଇଛି। ଏହି ଭିଡିଓକୁ ସେୟାର କରି, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତାମିଲ ଭାଷାରେ ଲେଖିଛନ୍ତି - "ସମାଜର ସମସ୍ତ ବର୍ଗର ଲାଭ ପାଇଁ ତାମିଲନାଡୁର ବ୍ୟାପକ ବିକାଶ ସୁନିଶ୍ଚିତ କରିବା।"
ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ତାମିଲନାଡୁ ବିଜେପି ସଭାପତି କେ. ଆନାମଲାଇ।
Powered by Froala Editor