ମେଦବହୁଳତା ବିରୋଧରେ ଅଭିଯାନ: ଏହି ଷ୍ଟାର୍ ଲୋକଙ୍କୁ କରିବେ ସଚେତନ, ଜାଣନ୍ତୁ କାହିଁକି...

ମୋଟାପଣକୁ ନେଇ ଲୋକଙ୍କ ସଚେତନ କରିବେ ୪ ଜଣ ଷ୍ଟାର୍ । ନିକଟରେ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ମୋଟାପଣ ବିରୋଧରେ ଏକ ଲମ୍ବା ଲଢେଇ ଲଢିବାକୁ ପଡ଼ିବ। ଖାଇବା ତେଲର ବ୍ୟବହାର କମ୍ କରିବା ପାଇଁ ସଚେତନତା ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ୧୦ ଜଣ ବ୍ୟକ୍ତିତ୍ଵଙ୍କୁ ମନୋନୀତ କରିଛନ୍ତି। ଏହି ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ମନୋରଞ୍ଜନ ଶିଳ୍ପରୁ ୪ ଜଣ ସାମିଲ ଅଛନ୍ତି।
ଦକ୍ଷିଣ ଭାରତୀୟ ଅଭିନେତା ମୋହନଲାଲ, ଗାୟିକା ଶ୍ରେୟା ଘୋଷାଲ, ଭୋଜପୁରୀ କଳାକାର ନିରହୁଆ ଏବଂ ବଲିଉଡ଼ ଅଭିନେତା ଆର. ମାଧବନ ୧୦ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି। ଏନେଇ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ଅଭିନେତା ମୋହନଲାଲ, ଗାୟିକା ଶ୍ରେୟା ଘୋଷାଲ, ନିରହୁଆ ଓ ଆର. ମାଧବନ କଳାକାର ଭାବେ ଉଚ୍ଚ ପ୍ରଶଂସିତ। ଏମାନଙ୍କ ସାମାଜିକ ଭାବମୂର୍ତ୍ତି ମଧ୍ୟ ବହୁତ ଭଲ। ଯଦି ଏମାନେ ମେଦବହୁଳତା ବିରୋଧରେ ଅଭିଯାନରେ ସାମିଲ ହୁଅନ୍ତି ତେବେ ସେମାନଙ୍କ କଥାକୁ ଦର୍ଶକ ଗୁରୁତ୍ୱ ଦେବେ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏହାସହିତ ଏମାନଙ୍କ ଫ୍ୟାନ ଫଲୋଅର୍ସ ବି ବହୁତ ଅଧିକ । ତେଣୁ ଏମାନଙ୍କ ନାଁ ୧୦ ଜଣଙ୍କ ଭିତରେ ରହିଛି ।
ଇନଷ୍ଟାଗ୍ରାମରେ ମୋହନଲାଲଙ୍କର ୫୯ ଲକ୍ଷ, ନିରହୁଆଙ୍କର ୨୧ ଲକ୍ଷ ଓ ମାଧବନଙ୍କର ୫୦ ଲକ୍ଷ ଅନୁଗାମୀ ଅଛନ୍ତି। ସେହିପରି ଶ୍ରେୟା ଘୋଷାଲଙ୍କ ଇନଷ୍ଟ୍ରାଗ୍ରାମରେ ୩୨୦ ଲକ୍ଷ ଫଲୋୟର୍ସ ଅଛନ୍ତି। ତେବେ ଏହି ଅଭିଯାନରେ ଏହି ୪ ଷ୍ଟାରଙ୍କ ବ୍ୟତୀତ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା, ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, ଶୁଟିଂ ଚମ୍ପିଆନ୍ ମନୁ ଭାକର, ଭାରୋତ୍ତୋଳକ ମିରାବାଇ ଚାନୁ, ଇନଫୋସିସ୍ ସହ-ପ୍ରତିଷ୍ଠାତା ନନ୍ଦନ ନିଲେକାନି ଓ ସମାଜସେବୀ ତଥା ଏମ୍ପି ସୁଧା ମୂର୍ତ୍ତି ପ୍ରମୁଖ ବ୍ୟକ୍ତି ବିଶେଷ ଅଛନ୍ତି।
Powered by Froala Editor