ଗୋବିନ୍ଦାଙ୍କ ଛାଡ଼ପତ୍ର ଖବର ପରେ ଏମିତି ଜବାବ ଦେଲେ ସୁନୀତା

ବଲିଉଡ୍ରେ ଅନେକ ଦମ୍ପତିଙ୍କର ଛାଡପତ୍ର ନେଇ ଖବର ଅଧିକାଂଶ ସମୟରେ ଶୁଣିବାକୁ ମିଳିଥାଏ । ତେବେ ନିକଟରେ ବଲିଉଡ୍ର ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତାଙ୍କର ଛାଡପତ୍ର ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଦମ୍ପତିଙ୍କ ବିବାହକୁ ୩୭ ବର୍ଷ ପୂରଣ ହୋଇ ସାରିଛି। କିଛି ରିପୋର୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟରୁ ଜଣାଯାଇଛି ଯେ ଦୀର୍ଘ ୩୭ ବର୍ଷ ପରେ ସେମାନଙ୍କ ବୈବାହିକ ଜୀବନ ଭାଙ୍ଗିପାରେ।
ଖବର ଅନୁଯାୟୀ, ଏହି ଦମ୍ପତି ୧୧ ମାର୍ଚ୍ଚ ୧୯୮୭ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଉଭୟଙ୍କ ଜୀବନରେ ଅନେକ ଉତ୍ଥାନ-ପତ୍ତନ ଦେଖାଯାଇଥିଲା । ମାତ୍ର ବର୍ତ୍ତମାନ ଅଲଗା ହେବା ନେଇ ଖବର ଜୋର ଧରିଛି । ଛାଡପତ୍ରର କାରଣ କୁହାଯାଇଛି ଯେ ୩୦ ବର୍ଷ ବୟସ୍କା ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କ ଥିବାରୁ ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଉଭୟଙ୍କ ମଧ୍ୟରେ ମନାନ୍ତର କ୍ରମାଗତ ଭାବେ ବଢୁଥିଲା ଏବଂ ଭିନ୍ନ ଭିନ୍ନ ଜୀବନଶେଳୀ କାରଣରୁ ସେମାନଙ୍କ ବୈବାହିକ ସମ୍ପର୍କ ଏଭଳି ସ୍ଥିତିକୁ ଆସିଛି।
ଏହି ଗୁଜବ ପରେ ସୁନୀତା ଦେଇଥିବା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି, "ଆମକୁ କେହି ଅଲଗା କରିପାରିବେ ନାହିଁ। ତାଙ୍କ ସହ ମୋର ବହୁତ ମଜ୍ଜା ହୁଏ। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଘର ଭାଙ୍ଗିବାକୁ ଚାହାଁନ୍ତି। ମୁଁ କାହାକୁ ଘର ଭାଙ୍ଗିବାକୁ ଦେବି ନାହିଁ। ମୁଁ ଜିତିବି କାରଣ ବାବା ମୋ ସାଙ୍ଗରେ ଅଛନ୍ତି।"
Powered by Froala Editor