ଆଜି ୩ ଅଭିଯୁକ୍ତଙ୍କ ସରିଲା ରିମାଣ୍ଡ ଅବଧି
ଭୁବନେଶ୍ୱର: ରାଜଧାନୀର ତାରକା ହୋଟେଲ ସାମ୍ନାରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ସୋମବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରୁଥିବାରୁ ସେମାନଙ୍କୁ ଅଦାଲତରେ ହାଜର କରାଯିବ ।ରବିବାର ସିବିଆଇ ଉକ୍ତ ତାରକା ହୋଟେଲର ଜେନେରାଲ ମ୍ୟାନେଜର ଶୁଭମୟ ବାନାର୍ଜୀଙ୍କୁ ପଚରାଉଚରା କରିଛି । ଉକ୍ତ ହୋଟେଲରେ ଥରେ ଲାଞ୍ଚ କାରବାର ହୋଇଥିଲା ନା ହୋଟେଲଟି ଡିଲ୍ ପଏଣ୍ଟ ପାଲଟିଥିଲା । ସେନେଇ ପ୍ରମାଣ ସଂଗ୍ରହରେ ଲାଗିଛି ସିବିଆଇ ।
ଲାଞ୍ଚ କାରବାର ବେଳର ଅଧିକ ତଥ୍ୟ ପାଇଁ ସିବିଆଇ ପକ୍ଷରୁ ଶ୍ରୀ ବାନାର୍ଜୀଙ୍କୁ ସମନ ଜାରି ହୋଇଥିଲା । ରବିବାର ଅପରାହ୍ଣରେ ସେ ସିବିଆଇ ଅଫିସରେ ପହଞ୍ଚିଥିଲେ । ବ୍ରିଜ ଆଣ୍ଡ ରୁଫ୍ ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ, ମଧ୍ୟସ୍ଥ ତଥା ‘ଆଦିତ୍ୟଦେବ ଇନ୍ଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ’ ମାଲିକ ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କନ୍ଷ୍ଟ୍ରକ୍ସନ ସଂସ୍ଥାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ସାମ୍ନାରେ ଶ୍ରୀ ବାନାର୍ଜୀଙ୍କୁ ଦୀର୍ଘ ସମୟ ପାଇଁ ପଚରାଉଚରା କରାଯାଇଛି ।
ଗତ ୭ ତାରିଖ ସନ୍ଧ୍ୟାରେ ତାରକା ହୋଟେଲରେ ଚାଲିଥିଲା କ’ଣ ? ଡିଲ୍ ବେଳେ ୩ ଅଭିଯୁକ୍ତଙ୍କ ବାଦ୍ ଅନ୍ୟ କେଉଁମାନେ ଉପସ୍ଥିତ ଥିଲେ? ଡିଲ୍ ଚାଲିଥିବା ଟେବୁଲଟି କାହା ନାଁରେ ବୁକ୍ କରାଯାଇଥିଲା? ଟେବୁଲରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ପ୍ରମୁଖ ସଚିବ ତଥା ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ କି? ଶ୍ରୀ ବାନାର୍ଜୀଙ୍କୁ ପଚରାଉଚରା ବେଳେ ଏସବୁ ପ୍ରଶ୍ନର ଉତ୍ତର ଖୋଜିଥିଲା ସିବିଆଇ । ଏହି ଡିଲ୍ଟି ପ୍ରଥମ ଥିଲା ନା, ପୂର୍ବରୁ ଏମିତି ଏକାଧିକ ଥର ଲାଞ୍ଚ କାରବାର ହୋଇଛି । ସେ ସମ୍ପର୍କରେ ତଥ୍ୟ ଜାଣିବାକୁ ଚାହିଁଥିଲା । ରାତି ୭ଟା ବେଳକୁ ସେ ସିବିଆଇ କାର୍ୟ୍ୟାଳୟରୁ ବାହାରିଥିଲେ ।
ଗତ ୧୧ ତାରିଖ ସୁଦ୍ଧା ସିବିଆଇରେ ହାଜର ହେବାକୁ ଶ୍ରୀ ସେଠୀଙ୍କୁ ସମନ ଜାରି କରାଯାଇଥିଲା । ତାଙ୍କ ଦୁଇ ଡ୍ରାଇଭର ନୃସିଂହ ଶତପଥୀ ଏବଂ ତୁଷାର କୁମାରଙ୍କୁ ଗତକାଲି ଦୀର୍ଘ ସମୟ ପାଇଁ ଜେରା କରାଯାଇଛି । ମଧ୍ୟସ୍ଥ ଦେବଦତ୍ତଙ୍କ କାର୍ୟ୍ୟାଳୟର ସବୁ ଅଧିକାରୀଙ୍କୁ ପଚରାଉଚରା ସରିଛି । ଏପରିକି ଦେବଦତ୍ତଙ୍କ ସ୍ତ୍ରୀ ଓ ସନ୍ତୋଷଙ୍କ ବାପାଙ୍କୁ ମଧ୍ୟ ସିବିଆଇ ପଚରାଉଚରା ଚଳିଛି ।
Powered by Froala Editor