ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।
ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା। ତାଙ୍କୁ ପ୍ରାୟ ୩୦ ବର୍ଷ ହୋଇଥିଲା। ସେ ୭ ମାସର ଗର୍ଭବତୀ ଥିଲେ।ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ୫୦ରେ କେହି ସେମାନଙ୍କ ଘରର କବାଟ ବାଡ଼େଇ ଥିଲେ। ଏହା ଶୁଣି ସୀମା କବାଟ ଖୋଲି ଦେଇଥିଲେ। ସେ କବାଟ ଖୋଲିବା ମାତ୍ରେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ତେଣୁ ସେ ଜୋରରେ ପାଟି କରିଥିଲେ। ଏହା ଦେଖି ଦୁର୍ବୃତ୍ତ ଦ୍ୱୟଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି କରି ଦେଇଥିଲେ। ତା’ପରେ ସେମାନେ ଦୌଡ଼ି ପଳାଇଥିଲେ।
ଗୁଳିଟି ସୀମାଙ୍କ ଛାତିର ବାମ ପଟରେ ବାଜିଥିଲା। ପରିବାର ଲୋକେ ତାଙ୍କୁ ବଣାଇ ଡାକ୍ତରଖାନାକୁ ନେଇଯାଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor