ମଣିପୁର ହିଂସା ଥମୁନି : ସମୀକ୍ଷା କରିବାକୁ ଗଲେ ସିଆର୍ପିଏଫ୍ ଡିଜି
ମଣିପୁରରେ ନିଖୋଜ ୬ ଜଣଙ୍କ ମୃତଦେହ ମିଳିବା ପରେ ଜାରି ରହିଛି ହିଂସା। ହିଂସାକାଣ୍ଡକୁ ନେଇ ସ୍ଥିତି ଅନିୟନ୍ତ୍ରିତ ହେବା ପରେ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସିଆରପିଏଫ୍ ଡିଜି ଅନୀଶ ଦୟାଲଙ୍କୁ ମଣିପୁର ପଠାଯାଇଛି। ସେ ସେଠାରେ ଆଇନ ଶୃଙ୍ଖଳାର ସମୀକ୍ଷା କରିବେ। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ରରେ ନିଜର ସମସ୍ତ ରାଲିକୁ ବାତିଲ କରିଛନ୍ତି । ସେ ନାଗପୁରରୁ ଦିଲ୍ଲୀ ଫେରିଛନ୍ତି।
ଏହାରି ଭିତରେ ମଣିପୁର ସରକାର ରାଜ୍ୟର ୬ଟି ଥାନା ଅଧୀନରେ ଆସୁଥିବା ଅଞ୍ଚଳରୁ AFSPA ତଥା ଆଫସ୍ପା ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ପରିସ୍ଥିତିକୁ ଦେଖି ଚଳିତ ସପ୍ତାହରେ ଜିରିବାମ ସମେତ ମଣିପୁରର ୬ଟି ଥାନା ଅଞ୍ଚଳରେ କେନ୍ଦ୍ର ସରକାର ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଆଇନକୁ ପୁନଃ ଲାଗୁ କରିଛନ୍ତି। କେନ୍ଦ୍ର ସରକାରଙ୍କୁ ଏହାର ସମୀକ୍ଷା କରି ପ୍ରତ୍ୟାହାର ପାଇଁ ସୁପାରିଶ କରିବାକୁ ନିଷ୍ପତ୍ତି ନିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ବିଷ୍ଣୁପୁର, ଇମ୍ଫାଲ ଓ ଜିରିବାମରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏଠାରେ ମଧ୍ୟ କର୍ଫ୍ୟୁ ଲାଗୁ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସୁରକ୍ଷା ବାହିନୀ ଓ ରାଜ୍ୟ ପୁଲିସ ନୂଆ ରଣନୀତି ପ୍ରସ୍ତୁତ କରୁଛନ୍ତି।
Powered by Froala Editor