ହିଂସା ରୋକିବାରେ ବିଫଳ, ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖି ସମର୍ଥନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି ଏନପିପି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଲେଖିଥିବା ଚିଠିରେ ଏନପିପି କହିଛି ଯେ ମଣିପୁରରେ ହିଂସା ରୋକିବାରେ ବିରେନ ସିଂହଙ୍କ ସରକାର ବିଫଳ ହୋଇଛନ୍ତି। ଏହି କାରଣରୁ ସରକାରରୁ ସମର୍ଥନ ପ୍ରତ୍ୟାହାର କରାଗଲା । ତେବେ ଏହା ଦ୍ବାରା ବିଜେପି ସରକାର ପ୍ରତି କୌଣସି ବିପଦ ନାହିଁ । କାରଣ ୬୦ ସଦସ୍ୟ ବିଶିଷ୍ଟ ମଣିପୁର ବିଧାନସଭାରେ ବିଜେପିର ୩୨ ସଦସ୍ୟ ଅଛନ୍ତି । ମଣିପୁର ବିଧାନସଭାରେ ଏନପିପିର ୭ ଜଣ ସଦସ୍ୟ ଅଛନ୍ତି ।
କୋନରାଡ୍ ସାଙ୍ଗମାଙ୍କ ନେତୃତ୍ୱାଧୀନ ନ୍ୟାସନାଲ ପିପୁଲ୍ସ ପାର୍ଟି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛି । ଏନପିପି ପକ୍ଷରୁ ଜାରି ଏକ ଚିଠିରେ କୁହାଯାଇଛି ଯେ, ଆମେ ଦୃଢ଼ ଭାବରେ ବିଶ୍ୱାସ କରୁଛୁ ଯେ ବୀରନ ସିଂହଙ୍କ ନେତୃତ୍ୱାଧୀନ ମଣିପୁର ସରକାର ସଙ୍କଟର ସମାଧାନ ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାସନାଲ ପିପୁଲ୍ସ ପାର୍ଟି ମଣିପୁରରେ ବୀରେନ ସିଂହ ନେତୃତ୍ୱାଧୀନ ସରକାରରୁ ତୁରନ୍ତ ସମର୍ଥନ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି।
Powered by Froala Editor