ନିଯୁକ୍ତି ଠକେଇରେ ଫସିଲେ ଦିଶାଙ୍କ ବାପା, ଦେଇଦେଲେ ୨୫ ଲକ୍ଷ
ବଲିଉଡ ଅଭିନେତ୍ରୀ ଦିଶା ପଟାନୀଙ୍କ ପିତା ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଜଗଦୀଶ ପଟାନୀ ଠକେଇର ଶିକାର ହୋଇଛନ୍ତି। ସରକାରଙ୍କ କୌଣସି କମିଶନରେ ଅଧ୍ୟକ୍ଷ, ଉପାଧ୍ୟକ୍ଷ ବା ସେହିଭଳି କୌଣସି ବଡ଼ ପଦବୀରେ ନିଯୁକ୍ତି କରାଇ ଦେବାର ପ୍ରତିଶ୍ରୁତି ଦେଇ ୫ ଜଣ ବ୍ୟକ୍ତି ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏନେଇ ଉତ୍ତର ପ୍ରଦେଶର ବରେଲୀର କୋତୱାଲୀ ଥାନାରେ ମାମଲା ରୁଜୁ ହୋଇଛି।
ଏହି ଘଟଣାକୁ ନେଇ କୋତୱାଲି ପୁଲିସ୍ ଷ୍ଟେସନର ଦାୟିତ୍ୱରେ ଥିବା ଡି.କେ ଶର୍ମା କହିଛନ୍ତି - ଶିବେନ୍ଦ୍ର ପ୍ରତାପ ସିଂ, ଦିବାକର ଗର୍ଗ, ଆଚାର୍ଯ୍ୟ ଜୟପ୍ରକାଶ, ପ୍ରୀତି ଗର୍ଗ ଏବଂ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଠକେଇ, ଧମକ ଓ ନିର୍ଯାତନା ଦେବା ନେଇ ଏତଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରାଯାଉଛି।
ସୂଚନା ମୁତାବକ, ଦିଶା ପଟାନୀଙ୍କ ପିତା ଜଗଦୀଶ ପଟାନୀ ତାଙ୍କ ପରିବାର ସହିତ ବରେଲିରେ ସିଭିଲ୍ ଲାଇନ୍ସରେ ରୁହନ୍ତି। ଅଭିଯୁକ୍ତ ଶିବେନ୍ଦ୍ର ପ୍ରତାପ ସିଂଙ୍କୁ ଜଗଦୀଶ ବ୍ୟକ୍ତିଗତ ଭାବେ ଜାଣିଥିଲେ। ଜଗଦୀଶଙ୍କ ବିଶ୍ୱାସ ଜିତିବା ପରେ ଅଭିଯୁକ୍ତ ତାଙ୍କଠାରୁ ୨୫ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ୫ ଲକ୍ଷ ଟଙ୍କା ସେମାନେ ନଗଦ ନେଇଥିଲେ। ବାକି ୨୦ ଲକ୍ଷ ଟଙ୍କା ସେ ତିନିଟି ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲେ। କିନ୍ତୁ ଟଙ୍କା ନେବାର ୩ ମାସ ବିତିଯିବା ସତ୍ତ୍ୱେ ଅଭିଯୁକ୍ତମାନେ ଜଗଦୀଶ ସିଂହ ପଟାନୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ ହୋଇ ନଥିଲା।
ଏକ ବଡ଼ ଠକେଇର ଶିକାର ହୋଇଥିବା ସନ୍ଦେହରେ ସେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୁକ୍ତମାନେ ତାଙ୍କ ବିଶ୍ୱାସ ଜିତି ତାଙ୍କୁ ଦିଗହରା କରିଥିଲେ ବୋଲି ଜଗଦୀଶ ସିଂହ ପଟାନୀ କହିଛନ୍ତି।
Powered by Froala Editor