ଯାଞ୍ଚ ହେଲା ଅମିତ ଶାହାଙ୍କ ହେଲିକପ୍ଟର
ମୁମ୍ବଇ: ନିର୍ବାଚନ କମିସନ (ଇସି) ଅଧିକାରୀମାନେ ଶୁୁକ୍ରବାର ମହାରାଷ୍ଟ୍ରର ହିଙ୍ଗୋଲି ଜିଲାରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ହେଲିକପ୍ଟରକୁ ଅଟକାଇ ସେଥିରେ ଥିବା ବ୍ୟାଗ ଯାଞ୍ଚ କରିଥିବା ଜଣାପଡିଛି। ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିବାକୁ ଶାହା ହେଲିକପ୍ଟର ଯୋଗେ ହିଙ୍ଗୋଲି ଜିଲାକୁ ଗସ୍ତ କରିଥିବାବେଳେ ଏଭଳି ଘଟଣା ଘଟିଛି। ଶାହା ଏହି ଘଟଣାର ଭିଡିଓକୁ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଶାହା ଆହୁରି କହିଛନ୍ତି ଯେ ବିଜେପି ସବୁବେଳେ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ସପକ୍ଷରେ କାର୍ଯ୍ୟ କରିଥାଏ। ତେଣୁ ଏହି ପରମ୍ପରାକୁ ସୁସ୍ଥ ଓ ଅଭିଯୋଗମୁକ୍ତ କରିବାକୁ ଇସିଙ୍କ ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ମହାରାଷ୍ଟ୍ର ବିଧାନସଭାର ୨୮୮ ଆସନ ପାଇଁ ଚଳିତମାସ ୨୦ରେ ଭୋଟଗ୍ରହଣ କରାଯିବ। ଆଚରଣ ବିଧି ଲାଗୁ ହୋଇସାରିଥିବାରୁ ଇସିଙ୍କ ତରଫରୁ ବିଭିନ୍ନ ଦଳର ନେତା, ମନ୍ତ୍ରୀଙ୍କ ହେଲିକପ୍ଟର, କାର୍ ଇତ୍ୟାଦି ଯାଞ୍ଚ କରାଯାଉଛି। ବିଗତ କିଛି ଦିନ ମଧ୍ୟରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ, ଶିବସେନା (ୟୁଟିବି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ ଓ ଅଜିତ ପୱାରଙ୍କ ସମେତ ପିସିସି ସଭାପତି ନାନା ପାଟୋଲେଙ୍କ ହେଲିକପ୍ଟର/କାର୍କୁ ଇସି ଅଧିକାରୀମାନେ ଯାଞ୍ଚ କରିସାରିଛନ୍ତି। ଉଦ୍ଧବଙ୍କ ବ୍ୟାଗକୁ ତିନି ଥର ଯାଞ୍ଚ କରାଯିବା ପରେ ଏହି ପ୍ରସଙ୍ଗକୁ ନେଇ ରାଜ୍ୟରେ ରାଜନୈତିକ ହଟଚମଟ ସୃଷ୍ଟି ହୋଇଛି। ଯାଞ୍ଚ ସମୟରେ ଉଦ୍ଧବ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡିଥିବାବେଳେ ସଂପୃକ୍ତ ଇସି ଅଧିକାରୀଙ୍କ ପରିଚୟ ପତ୍ର ମାଗି ଦେଖିଥିଲେ। ଇସି କେବଳ ବିରୋଧୀ ଏମଭିଏ ମେଣ୍ଟ ନେତାଙ୍କ ବ୍ୟାଗ ଯାଞ୍ଚ କରୁଥିବାବେଳେ ରାଜ୍ୟରେ କ୍ଷମତାସୀନ ବିଜେପି ନେତାଙ୍କୁ ଛାଡି ଦେଉଛି ବୋଲି ବିରୋଧୀ ଅଭିଯୋଗ କରୁଥିଲେ। ବର୍ତ୍ତମାନ ଅମିତ ଶାହା, ସିନ୍ଦେ, ଫଡ୍ନବିସ, ଅଜିତ ପୱାରଙ୍କ ବ୍ୟାଗ ଯାଞ୍ଚ କରାଯାଇଥିବାରୁ ବିରୋଧୀଙ୍କ ମୁହଁ ବନ୍ଦ ହୋଇଯାଇଛି।
Powered by Froala Editor