ରେଳ ଟ୍ରାକ୍ରେ କାର୍ ଚଲାଇ ରିଲ୍ସ କରୁଥିଲେ, ତାପରେ...
ଏକ ରିଲ୍ସ ନିଶା ଯୋଗୁ ଜଣେ ଯୁବକ ନିଜର ମହିନ୍ଦ୍ରା ଥର ଗାଡ଼ିକୁ ରେଳ ଧାରଣା ଉପରେ ଚଳାଉଥିଲେ। କିନ୍ତୁ ଠିକଣା ସମୟରେ ଥର ଟ୍ରାକରେ ଫସି ଯାଇଥିଲା ଓ ସେହି ସମୟରେ ଗୋଟିଏ ଟ୍ରେନ ଟ୍ରାକରେ ଆସି ଯାଇଥିଲା। ଏହି ସମୟରେ ମାଲବାହୀ ଟ୍ରେନ ଚାଳକ ଟ୍ରେନ ଅଟକାଇବାରୁ ଯୁବକଙ୍କ ଜୀବନ ବଞ୍ଚିପାରିଥିବା ସାମ୍ନାକୁ ଆସିଛି।
ରାଜସ୍ଥାନର ଜୟପୁରରେ ଏପରି ଏକ ଘଟଣା ଘଟିଥିବା ବେଳେ ପୁଲିସ୍ ଟ୍ରାକରେ ଥର ଚଳାଇ ରିଲ୍ସ କରୁଥିବା ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ମଦ ପିଇ ନିଜର ଥରକୁ ଚଳାଉଥିଲେ। ଏହି ସମୟରେ ସେ ରେଳ ଟ୍ରାକ ଉପରେ ଥରକୁ ଚଢ଼ାଇ ଦେଇଥିଲେ। ତେବେ ଟ୍ରାକରୁ ଗାଡ଼ି ବାହାର କରିବା ପାଇଁ ସେ ଚେଷ୍ଟା କରୁଥିବା ବେଳେ ଏହା ସେଠାରେ ଫସି ଯାଇଥିଲା।
ଏହି ସମୟରେ ସାମ୍ନା ପଟୁ ମଧ୍ୟ ଗୋଟିଏ ମାଲ ବୋଝେଇ ଟ୍ରେନ ସମାନ ଟ୍ରାକରେ ଆସୁଥିଲା। ଯୁବକ ଜଣଙ୍କ ଯେତେ ଚେଷ୍ଟ କରିଥିଲେ ହେଁ ଟ୍ରେନ ଆସିବା ପୂର୍ବରୁ ଥରକୁ ଟ୍ରାକରୁ କାଢ଼ି ପାରି ନଥିଲେ। କିନ୍ତୁ ଟ୍ରେନର ଲୋକପାଇଲଟ ଏହାକୁ ଦେଖି ଗାଡ଼ିର ବ୍ରେକ ଲଗାଇ ଦେଇଥିଲେ।
ଏକ୍ସରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ଠିକ ସମୟରେ ଟ୍ରେନ ଅଟକିଯିବା ପରେ ଅଭିଯୁକ୍ତଜଣକ ଗାଡିକୁ ରେଳ ଧାରଣାରୁ ହଟାଇବାକୁ ଚେଷ୍ଟା କରୁଛନ୍ତି । ଯୁବକଜଣଙ୍କ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ କିଛି ସମୟ କାର ହଟାଇବାକୁ ଚେଷ୍ଟା କରିବା ପରେ କାରଟି ରେଳ ଧାରଣାରୁ ତଳକୁ ଖସି ଯାଉଛି । ଏହା ପରେ ସେ ଦ୍ରୁତ ଗତିରେ କାରକୁ ରାସ୍ତାକୁ ନେଇ ଆସୁଛନ୍ତି । ପୁଲିସ ଗିରଫ କରିବ ବୋଲି ଭାବି ସେ ଆଉ ନଅଟକି ଦ୍ରୁତ ଗତିରେ କାରକୁ ନେଇ ସେଠାରୁ ପଳାଉଛନ୍ତି । ତେବେ ପୁଲିସ ଅଭିଯୁକ୍ତର ପିଛା କରି ତାକୁ ଗିରଫ କରିଛି |
Powered by Froala Editor