୫୦୦ ଟଙ୍କିଆ ନକଲି ନୋଟ୍ ଦେଖି ପୁଲିସ ତାଜୁବ
ଫିଲ୍ମରେ ନୁହେଁ ବାସ୍ତବ ଜୀବନରେ ବି ‘ଫର୍ଜି’ର କାରନାମା ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ସୋନଭଦ୍ରା ଜିଲ୍ଲାରେ ରହୁଥିବା ୨ଯୁବକ ୧୦ଟଙ୍କିଆ ଷ୍ଟାମ୍ପ ପେପରରେ ୫୦୦ଟଙ୍କା ତିଆରି କରୁଥିଲେ ବୋଲି ଜଣାପଡ଼ିଛି। ଏହି ଦୁଇ ଜଣ ମାର୍କେଟକୁ ୩୦ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଛାଡ଼ିଥିଲେ। ଉଭୟ ଏତେ ଯତ୍ନର ସହ ନୋଟକୁ ଛାପି ଥିଲେ ଯେ ଖାଲି ଆଖିରେ ଏହା ନକଲି କି ଅସଲି ଜାଣିବା ବଡ଼ ମୁସ୍କିଲ। ତଥାପି ପୁଲିସ୍ ୨ ଅଭିଯୁକ୍ତଙ୍କୁ ଉତ୍ତର ପ୍ରଦେଶର ସୋନଭଦ୍ରାରୁ ଗିରଫ କରି ପୂରା ରାକେଟ ଉପରୁ ପରଦା ହଟାଇଛି। ଅଭିଯୁକ୍ତମାନେ ହେଲେ ସତୀଶ ରାୟ ଓ ପ୍ରମୋଦ ମିଶ୍ରା।
ଶୁକ୍ରାବର ଦିନ ଦୁହିଁଙ୍କୁ ଗିରଫ କରିଛି ପୁଲିସ। କୁହାଯାଉଛି ଯେ, ଦୁହେଁ ନକଲି ଟଙ୍କା ତିଆରି କରିବା ରାକେଟ ଚଳାଇବା ସହ ପ୍ରାୟ ୩୦,୦୦୦ଟଙ୍କାର ନକଲି ନୋଟ୍ ଖର୍ଚ୍ଚ କରି ସାରିଥିଲେ। ପୁଲିସର ସୂଚନାନୁସାରେ ଅଭିଯୁକ୍ତ ସତୀଶ ରାୟ ଏବଂ ପ୍ରମୋଦ ମିଶ୍ରା କମ୍ପ୍ୟୁଟର ପ୍ରିଣ୍ଟରରେ ୧୦ଟଙ୍କିଆ ଷ୍ଟାମ୍ପ ପେପରରେ ନକଲି ୫୦୦ଟଙ୍କିଆ ନୋଟ ଛାପୁଥିଲେ। ଏଥିପାଇଁ ସେମାନେ ମିର୍ଜାପୁରରୁ ଷ୍ଟାମ୍ପ ପେପର କିଣିଥିଲେ। ସବୁ ନୋଟର ସମାନ ସିରିଏଲ ନମ୍ବର ଥିଲା। ଶୁକ୍ରବାର ସୋନଭଦ୍ରର ରାମଗଡ ବଜାରରେ ନକଲି ୧୦,୦୦୦ଟଙ୍କା ଖର୍ଚ୍ଚ କରିବାକୁ ଯାଉଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା।
ଅତିରିକ୍ତ ପୁଲିସ ଅଧୀକ୍ଷକ କଲୁ ସିଂ କହିଛନ୍ତି, "ଗିରଫ ପରେ ଆମେ ୨୦ଟି ୫୦୦ଟଙ୍କିଆ ନକଲି ନୋଟ୍ ଜବତ କରିଛୁ। ଏହାକୁ ଧରିଲେ ବା ଦେଖିଲେ ଏହା ଅସଲି କି ନକଲି କେହି ଜାଣିପାରିବେ ନାହିଁ। ନକଲି ନୋଟ ବ୍ୟତୀତ ଆମେ ଏକ ଆଲ୍ଟୋ କାର, ନୋଟ୍ ଛାପିବା ପାଇଁ ବ୍ୟବହୃତ ଯନ୍ତ୍ରପାତି, ଲାପଟପ୍, ପ୍ରିଣ୍ଟର୍ ଏବଂ ୨୭ଟି ଷ୍ଟାମ୍ପ ପେପର ଜବତ କରିଛୁ।"
Powered by Froala Editor