୨୫ ନଭେମ୍ବରରୁ ଆରମ୍ଭ ଶୀତ ଅଧିବେଶନ
୧୮ତମ ଲୋକସଭାର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ୨୦ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ହେବାର ଆଶା କରାଯାଉଛି।
ସମ୍ବିଧାନ ଦିବସ ଅବସରରେ ୨୬ ନଭେମ୍ବରରେ ମିଳିତ ଅଧିବେଶନ ହେବ। ଏହି ଅଧିବେଶନ ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ। ସଂସଦର ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି।
ପାରମ୍ପରିକ ଢଙ୍ଗରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ସହିତ ଅଧିବେଶନ ଆରମ୍ଭ ହେବ। ଏହା ବ୍ୟତୀତ ଶୀତକାଳୀନ ଅଧିବେଶନରେ ସଂସଦର ଉଭୟ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ ଉପରେ ବିଚାର କରାଯାଇପାରେ। ଏହି ଅଧିବେଶନ ସମୟରେ ସରକାର 'ଏକ ଦେଶ ଏକ ନିର୍ବାଚନ' ବିଲ୍ ଏବଂ ୱାକଫ୍ ସଂଶୋଧନ ବିଲ୍ ମଧ୍ୟ ଉପସ୍ଥାପନ କରିପାରନ୍ତି। ବିରୋଧୀଙ୍କ ଆକ୍ରମଣାତ୍ମକ ମନୋଭାବକୁ ବିଚାରକୁ ନେଇ ଆଗାମୀ ଶୀତ ଅଧିବେଶନ ଅଶାନ୍ତ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ,ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚାଇ ଦେଇଛନ୍ତି ଯେ ସରକାର 'ଏକ ଦେଶ ଏକ ନିର୍ବାଚନ' କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯାହା ଲୋକସଭା ତଥା ରାଜ୍ୟ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ଆଣିବ।
Powered by Froala Editor