ସ୍ୱାମୀଙ୍କ ମୃତ୍ୟୁ ପରେ ବେଡ୍ରୁ ରକ୍ତ ପୋଛିବାକୁ ପତ୍ନୀଙ୍କୁ ଅର୍ଡର ଦେଲେ କର୍ମଚାରୀ
ମହିଳା ହୋଇବି ଜଣେ ମହିଳାଙ୍କ ବେଦନା ବୁଝିପାରିଲେନି । ମାନବିକତା ହରାଇଲେ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ । ଜଣେ ଗର୍ଭବତୀ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପ୍ରତି ସମବେଦନା ଜଣାଇବା ତ ଦୂରର କଥା ତାଙ୍କୁ ବେଡ୍ରେ ଲାଗିଥିବା ରକ୍ତ ସଫା କରିବାକୁ ଅର୍ଡର ଦେଲେ । ଗର୍ଭବତୀ ମହିଳାଙ୍କ ପାଖରେ ତାଙ୍କ ଶିଶୁଟି ଠିଆ ହୋଇଥିଲେ ବି ତାଙ୍କ ପ୍ରତି ଏଭଳି ଆଚରଣ ଖୁବ୍ ଅମାନବୀୟ ବୋଲି ଚର୍ଚ୍ଚା ହେଉଛି । ଏହାର ଏକ ଭିଡିଓ ଭାଇରାଲ ହେଉଛି । ୟୁଜର୍ସ ଭିଡିଓ ଦେଖିବା ପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏପରି ଅମାନବୀୟ, ଅମାନୁଷିକ କାଣ୍ଡ ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲ୍ଲାର ଗାଡାସରଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି।
ଅସୁସ୍ଥ ଦିବ୍ୟାଙ୍ଗ ସ୍ୱାମୀକୁ ବଞ୍ଚାଇବା ନିମନ୍ତେ ମେଡିକାଲ ଧରି ଧାଇଁ ଆସିଥିଲା ଗର୍ଭବତୀ ପତ୍ନୀ। ପାଖରେ ଆଉ ଏକ ଛୋଟ ଛୁଆ ବି ଥିଲା। ମାତ୍ର ମେଡିକାଲ ବେଡରେ ହିଁ ଚାଲିଗଲା ସ୍ୱାମୀର ଜୀବନ । ଏହାଦେଖି ପତ୍ନୀ ମୁଣ୍ଡ ପିଟି କାନ୍ଦୁଥିଲା। ମାତ୍ର ମେଡିକାଲ କର୍ମଚାରୀ ମହିଳାଙ୍କ ସ୍ୱାମୀ ଯେଉଁ ବେଡରେ ଆଖି ବୁଜିଥିଲେ ତାହାକୁ ସଫା କରିବାକୁ ବାଧ୍ୟ କଲେ।
ଏପରି ଘଟଣାର ଭିଡିଓ ଭାଇରାଲ ହେଉଥିବା ବେଳେ ଚାରିଆଡ଼ୁ ନିନ୍ଦା କରାଯାଉଛି। ଏପରି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏନେଇ ରାଜ୍ୟ ସରକାର ୨ ଜଣଙ୍କୁ ନିଲମ୍ବିତ କରିଥିବା ବେଳେ ମେଡିକାଲ ଇନଚାର୍ଜଙ୍କୁ ବଦଳି କରିଛନ୍ତି।
Powered by Froala Editor